ବିଜେପିରେ ଯୋଗଦେଲେ ପୂର୍ବତନ ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା

ବିଜେପିରେ ଯୋଗଦେଲେ ପୂର୍ବତନ ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା
Samaya Live Desk Picture
Published On

ଗୁଆହାଟୀ: ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଭୂପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି। ଗୁଆହାଟୀରେ ଦଳର ମୁଖ୍ୟାଳୟରେ ବାଜପେୟୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଏବଂ ସାଂସଦ ଦିଲୀପ ସାଇକିଆ ବୋରାଙ୍କୁ ସ୍ବାଗତ କରିଥିଲେ। ଆସାମ ପ୍ରଦେଶ କଂଗ୍ରେସ କମିଟି(ଏପିସିସି)ର ପୂର୍ବତନ ଅଧ୍ୟକ୍ଷ ଭୂପେନ ବିଜେପିରେ ଯୋଗଦେବା ପରେ ଆସାମ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିଜେପି ରାଜ୍ୟ ସଭାପତି ଦିଲୀପ ସାଇକିଆ, ସାଂସଦ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆଙ୍କ ସମେତ ଅନେକ ବରିଷ୍ଠ ନେତା ଗୁଆହାଟୀରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୋରାଙ୍କ ବିଜେପିରେ ଯୋଗଦାନ କେବଳ କଂଗ୍ରେସ ପାଇଁ ଏକ ସାଂଗଠନିକ କ୍ଷତି ନୁହେଁ, ବରଂ ରାଜ୍ୟରେ ଶାସକ ଦଳର ବଢୁଥିବା ପ୍ରଭାବକୁ ମଧ୍ୟ ପ୍ରତିଫଳିତ କରିଛି। ବିଜେପିରେ ଯୋଗଦେବା ପରେ ଭୂପେନ ବୋରା କଂଗ୍ରେସ ନେତୃତ୍ୱ ବିଶେଷକରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଭାବପ୍ରବଣ ହୋଇ ସେ କହିଛନ୍ତି ଯେ, ସେ ୩୨ ବର୍ଷ ଧରି ସମ୍ପୂର୍ଣ୍ଣ ସଚ୍ଚୋଟ ଓ ନିଷ୍ଠାର ସହିତ ଦଳର ସେବା କରିଛନ୍ତି, କିନ୍ତୁ କଂଗ୍ରେସ ଦଳ ଏବେ ଏହାର ମୂଳ ମୂଲ୍ୟବୋଧରୁ ଦୂରେଇ ଯାଇଛି।  କଂଗ୍ରେସ ଦଳ ଜାତୀୟ ଗର୍ବ ଓ ସ୍ୱାଭିମାନ  ପ୍ରସଙ୍ଗରେ ସାଲିସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।   

Tags: