ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ, ୫ ରୋଗୀଙ୍କ ମୃତ୍ୟୁ
ପାଟନା : ବିହାରର ମୁଜାଫରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ହୋଇ ୫ ରୋଗୀଙ୍କର ମୃତ୍ୟୁ ହୋଇଛି। ନିଆଁ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଲାଗିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ସୁବ୍ରତ କୁମାର ସେନ୍ କହିଛନ୍ତି ଯେ, ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରାୟ ୨୦ରୁ ୨୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରସାଦ ହସ୍ପିଟାଲର ଆଇସିୟୁର ଅକ୍ସିଜେନ୍ ୟୁନିଟ୍ ଓ ମନିଟର ସିଷ୍ଟମରେ ସଟ୍ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ବୋଲି ସେନ୍ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଚାଲିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ରାତି ୩ଟା ୫୫ ମିନିଟରେ ଖବର ମିଳିଥିଲା। ଅଗ୍ନିଶମ ବାହିନୀ କବାଟ ଓ ଝରକା ଭାଙ୍ଗି ଆଇସିୟୁ ଓ ଅନ୍ୟ ୱାର୍ଡ଼ରେ ପହଞ୍ଚି ଥିଲେ। ରୋଗୀମାନଙ୍କୁ ଧୂଆଁ ଭର୍ତ୍ତି କୋଠାରୁ ବାହାରକୁ ଅଣା ଯାଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ରାମ ନିୱାସ ପାଣ୍ଡେ କହିଛନ୍ତି, ଆଇସିୟୁର ୧୫-୨୦ ରୋଗୀଙ୍କୁ ଉଦ୍ଧାର କରିଥିଲୁ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଆଇସିୟୁ ପଞ୍ଚମ ମହଲା ଓ ପ୍ରତୀକ୍ଷା ଗୃହ ଚତୁର୍ଥ ମହଲାରେ ଅଛି, ଯାହା ଫଳରେ ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଛି। କିଛି ରୋଗୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନେ ସେମାନଙ୍କ ସମ୍ପର୍କୀୟଙ୍କୁ ଖୋଜି ପାଇ ନାହାନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ରୋଗୀମାନଙ୍କୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅନ୍ୟ ଏକ ସୂତ୍ର ଅନୁଯାୟୀ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। କିନ୍ତୁ ବାସ୍ତବରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି।



