ତ୍ରିପୁରା ଛାତ୍ରଙ୍କୁ ହତ୍ୟା ଘଟଣାରେ ୫ ଗିରଫ,ଜଣେ ଫେରାର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ତ୍ରିପୁରା ଛାତ୍ରଙ୍କୁ ହତ୍ୟା ଘଟଣାରେ ୫ ଗିରଫ,ଜଣେ ଫେରାର
Samaya Live News Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ତ୍ରିପୁରାର ଛାତ୍ରଙ୍କୁ ହତ୍ୟା ଘଟଣାରେ ୫ ଗିରଫ । ମୁଖ୍ୟ ଅଭିଯୁକ୍ତ ଯଜ୍ଞ ଅବସ୍ଥି ନେପାଳ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏମବିଏ ପଢ଼ୁଥିବା ୨୪ ବର୍ଷୀୟ ତ୍ରିପୁରା ଛାତ୍ର ଆଞ୍ଜେଲ ଚାକମା ଜାତିଗତ ଆକ୍ଷେପର ଶିକାର ହୋଇଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କୁ  ଡିସେମ୍ବର ୯ ତାରିଖରେ ଉତ୍ତରାଖଣ୍ଡର ଡେରାଡୁନରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀଙ୍କ ଛୁରାମାଡ଼ରେ ଗୁରୁତର ହୋଇ ଆଞ୍ଜେଲ ୧୭ ଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୬ ତାରିଖରେ ଗ୍ରାଫିକ୍ ଏରା ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ଥିବାବେଳେ ୫ ଜଣ ଗିରଫ ହୋଇଛନ୍ତି । ଏଥିରେ ଦୁଇଜଣ ନାବାଳକ ଅଛନ୍ତି । ଆକ୍ରମଣକାରୀମାନେ ତାଙ୍କୁ ଓ ତାଙ୍କ ଭାଇଙ୍କୁ 'ଚିଙ୍କି', 'ଚାଇନିଜ୍' ଆଦି ଜାତିଗତ ଅପମାନ ଦେଇଥିଲେ। 

ଆଞ୍ଜେଲଙ୍କ ଭାଇ ମାଇକେଲ ଚାକମାଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୨ ରେ ଆକ୍ରମଣ ମାମଲା ରୁଜୁ କରାଯାଇଥିଲା । ଡିସେମ୍ବର ୧୪ ରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ପରେ, ଆଞ୍ଜେଲଙ୍କ ମୃତ୍ୟୁ ପରେ, ଏହି ଘଟଣାକୁ ହତ୍ୟା ମାମଲାରେ ଦାୟର କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଯଜ୍ଞ ଅବସ୍ଥି ନେପାଳ ପଳାଇଯାଇଥିବାରୁ ତାଙ୍କୁ ଧରାଇଦେବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ଏହି ଘଟଣାରେ ତ୍ରିପୁରାରେ ଜୋରଦାର ବିରୋଧ ହେଉଛି । ଏଥିରେ ହସ୍ତକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ତ୍ରିପୁରା ଚାକମା ଷ୍ଟୁଡେଣ୍ଟ୍ସ ଆସୋସିଏସନ୍ ଅନୁରୋଧ କରିଛି । ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ଓ ହେଟ୍ କ୍ରାଇମ୍ ବିରୋଧରେ ପଦକ୍ଷେପ ଦାବି କରାଯାଇଛି । ଭାରତୀୟ ଜାତୀୟ ଛାତ୍ର ସଂଘ (NSUI) ମଧ୍ୟ ଘୃଣା ଅପରାଧକୁ ଦୃଢ଼ ନିନ୍ଦା କରିଛି ଏବଂ ପରିଚୟ, ରାଜ୍ୟ ଏବଂ ଜାତି ଆଧାରରେ ଭେଦଭାବ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସେପଟେ,ଆଞ୍ଜେଲଙ୍କ ମୃତ୍ୟୁ ପରେ, ତ୍ରିପୁରା, ଦିଲ୍ଲୀ ଏବଂ ଡେରାଡୁନର ଛାତ୍ର ସଂଗଠନଗୁଡ଼ିକ ନ୍ୟାୟ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ସମନ୍ୱିତ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରିଥିଲେ।

ଆଜି ସେଠାରେ ମହମବତି ଶୋଭାଯାତ୍ରା କରାଯାଉଛି।  ୩୦ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଫୋନ୍ କରି ନ୍ୟାୟ ଦାବି କରିଛନ୍ତି।

 

Tags: