ଗୃହ ମନ୍ତ୍ରାଳୟ ବିରୋଧ‌ରେ ଅଭିଯୋଗ ପାଇଁ ମମତାଙ୍କ ବିରୋଧରେ ଏତଲା

ଗୃହ ମନ୍ତ୍ରାଳୟ ବିରୋଧ‌ରେ ଅଭିଯୋଗ ପାଇଁ ମମତାଙ୍କ ବିରୋଧରେ ଏତଲା
Samaya Live Desk Picture
Published On

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀଙ୍କୁୁ‌ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି।  ମମତାଙ୍କ ବି‌ରୋଧରେ ଆଜି ଏତଲା ରୁଜୁ ହୋଇଛି। କୋଲକାତାରେ ବିରୋଧ ପ୍ରଦର୍ଶନ ସମୟରେ ବାଂଲାଦେଶର ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ଟାଣିବାକୁ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏତଲା ସିଲିଗୁଡ଼ି ସାଇବର କ୍ରାଇମ୍‌ ପୁଲିସ ଷ୍ଟେସନରେ ଜଣେ ଓକିଲଙ୍କ ଦ୍ବାରା ରୁଜୁ କରାଯାଇଥିଲା। ୨୦୨୬ ଜୁନ୍‌ ୨ ତାରିଖରେ କୋଲକାତାର ଧର୍ମତାଲା (ୱାଇ-ଚାନେଲ)ରେ ଟିଏମ୍‌ସି ଧାରଣା ଦେଇଥିବା‌ବେଳେ ଏହି ବିବାଦ ଆରମ୍ଭ ହୋଇଥିଲା। ନିଜ ଭାଷଣରେ ମମତା ବାନାର୍ଜୀ ଦାବି କରିଥିଲେ ଯେ, ବାଂଲାଦେଶରେ ଏକ ହାଇପ୍ରୋଫାଇଲ ହତ୍ୟା ପଛରେ ହୋଇଥିବା ପୂରା ଷଡ଼ଯନ୍ତ୍ର ଓ ଲୋକଙ୍କ ନାଁ ତାଙ୍କୁ ଜଣା। କିନ୍ତୁ ସେ ତାଙ୍କ ନାଁ କହିବେ ନାହିଁ, କାରଣ ଏହାଦ୍ବାରା ପଡ଼ୋଶୀ ଦେଶରେ ଭୂକମ୍ପ ଆସିଯିବ। ତାଙ୍କର ସଙ୍କେତ ସ୍ପଷ୍ଟ ଭାବେ ବାଂଲାଦେଶୀ ଛାତ୍ର ନେତା ଶରିଫ ଉସ୍‌ମାନ ବିନ୍‌ ହାଦିଙ୍କ ହତ୍ୟା ସମ୍ପର୍କରେ ରହିଥିଲା। ମମତା ବାନାର୍ଜୀ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ମାର୍ଚ୍ଚ ୨୦୨୬ରେ ପଶ୍ଚିମବଙ୍ଗ ପୁଲିସ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଏହି ହତ୍ୟାକାଣ୍ଡର ସନ୍ଦିଗ୍ଧଙ୍କୁ ରାଜ୍ୟରେ ଗିରଫ କରିଥିଲେ, ସେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍‌ କରିଥିଲେ। ମମତା ଦାବି କରିଛନ୍ତି ଯେ, ଗୃହମନ୍ତ୍ରୀ ରାଷ୍ଟ୍ରୀୟ ହିତର ଦ୍ବାହି ଦେଇ ତାଙ୍କୁ ଗିରଫଦାରୀର ଖବର ଚାପିଦେବାକୁ କହିଥି‌ଲେ। ମମତା ବାନାର୍ଜୀଙ୍କ ଏହି ଚାଞ୍ଚଲ୍ୟକର ଦାବି ପରେ ସିଲିଗୁଡ଼ିର ଓକିଲ ରିଙ୍କି ଚାଟାର୍ଜୀ ସେନ୍‌ ଟିଏମ୍‌ସି ମୁଖ୍ୟଙ୍କ ବିରୋଧରେ ସିଲିଗୁଡ଼ି ସାଇବର କ୍ରାଇମ ପୁଲିସ ଷ୍ଟେସନରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଓକିଲ ରିଙ୍କି ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀ ନିଜ ବୟାନରେ ଦେଶର ଗୃହ ମନ୍ତ୍ରଣାଳୟର ନାମ ଟାଣିଛନ୍ତି। ଖୋଲା ମଞ୍ଚରେ ଦେଶ ସମ୍ପର୍କିତ ଏତେ ସମ୍ବେଦନଶୀଳ ଓ ଗୋପନୀୟ ସୂଚନା ସାର୍ବଜନୀନ କରିବା ଦ୍ବାରା ଦେଶର ସୁରକ୍ଷା ବିପଦରେ ପଡ଼ିପାରେ। ସୂଚନାଯୋଗ୍ୟ, ବାଂଲାଦେଶର ଇନକିଲାବ୍‌ ମଞ୍ଚର ସଂଯୋଜକ ଓ ଭାରତ ବିରୋଧୀ ଶରିଫ ଉସମାନ ହାଦିକୁ ୧୨ ଡିସେମ୍ବର ୨୦୨୫ରେ ଢାକାରେ ଗୁଳି କରାଯାଇଥିଲା। ୧୮ ଡିସେମ୍ବରରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ବାଂଲାଦେଶରେ ଭାରତ ବିରୋଧୀ ପ୍ରଦର୍ଶନ ଜୋରଦାର ହୋଇଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୈସଲ କରିମ୍‌ ମସୁଦ ଓ ଆଲମଗିର ହୁସେନ ମେଘାଳୟ ସୀମା ଦେଇ ଅବୈଧ ଭାବେ ଭାରତରେ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସେମାନଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରିଥିଲେ ଓ ସେବେଠାରୁ ସେମାନେ ଭାରତୀୟ ଏଜେନ୍ସି ହେପାଜତରେ ଅଛନ୍ତି।  

Tags: