ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରେ ବିସ୍ଫୋରଣ, ଆଇଇଡି ବ୍ୟବହାର ହୋଇଥିବା ସନ୍ଦେହ: ପୋଲିସ

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରେ ବିସ୍ଫୋରଣ, ଆଇଇଡି ବ୍ୟବହାର ହୋଇଥିବା ସନ୍ଦେହ: ପୋଲିସ
Samaya Live Desk Picture
Published On
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ନିର୍ମାଣାଧୀନ ଆବାସିକ କୋଠାରେ ବିସ୍ଫୋରଣ ଘଟି ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍ ଡିଭାଇସ୍‌ ବ୍ୟବହାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମଙ୍ଗଳବାର ଜର୍ମିଆ ରୋଡ୍‌ର ପୁଲକେଶିନଗର ଅଞ୍ଚଳରେ ଥିବା ଏକ ବହୁତଳ ନିର୍ମାଣାଧୀନ ଆବାସିକ କୋଠାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ଶ୍ରମିକଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଛି। ସେମାନଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ପାଇଁ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌), ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ (ଆଇଏସ୍‌ଡି) ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା।
ବେଙ୍ଗାଲୁରୁ ପୋଲିସ କମିଶନର ସୀମନ୍ତ କୁମାର ବୁଧବାର ସାମ୍ବାଦିକମାନଙ୍କୁ କହିଥିଲେ ଯେ ଡାକ୍ତରଖାନାରୁ ସୂଚନା ପାଇବା ପରେ ପୋଲିସ ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ସେ କହିଥିଲେ ଯେ କୋଠାର କିଛି ଅଂଶରେ ଲୋକମାନେ ରହୁଥିବାବେଳେ ଅନ୍ୟ ଅଂଶରେ ନିର୍ମାଣ କାର୍ଯ୍ୟ ଚାଲିଥିଲା।ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଏକାଧିକ ତଦନ୍ତକାରୀ ଦଳ ଗଠନ କରାଯାଇଛି। ବିସ୍ଫୋରଣ ସ୍ଥଳରୁ ମିଳିଥିବା ସାମଗ୍ରୀ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମଧ୍ୟ ଏହି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଥିଲେ, ‘ଏହା କୌଣସି ରାସାୟନିକ ପ୍ରତିକ୍ରିୟା ଥିଲା କି, ଆଇଇଡି ବ୍ୟବହାର ହୋଇଥିଲା କିମ୍ବା ଅନ୍ୟ କୌଣସି କାରଣ ଥିଲା, ତାହାର ତଦନ୍ତ କରାଯାଉଛି। ଫରେନ୍ସିକ୍ ରିପୋର୍ଟ ଆସିବା ପରେ ସବୁକିଛି ଜଣାପଡ଼ିବ।
 
Tags: