ମହଙ୍ଗା ଭାରତର ନୂଆ ଚାଲ ଢାକାରେ ହଇଚଇ
ଭାରତ ଓ ବାଂଲାଦେଶ, ଦୁଇ ପଡ଼ୋଶୀ ଦେଶ ଯାହାଙ୍କ ସମ୍ପର୍କ କେବେ ବନ୍ଧୁତ୍ୱର ଉଦାହରଣ ଥିଲା।ଆଜି ସେହି ଦୁଇ ଦେଶ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । ବାଣିଜ୍ୟ ଠାରୁ ଆରମ୍ଭ କରି ବିଦ୍ୟୁତ୍, ସୁରକ୍ଷା ଓ ସୀମା ସହଯୋଗ ଦୁଇ ଦେଶର ସମ୍ପର୍କ ଗତ କିଛି ବର୍ଷରେ ଖୁବ୍ ଆଗକୁ ବଢ଼ିଥିଲା। କିନ୍ତୁ ଶେଖ ହସିନାଙ୍କ ସରକାର ପତନ ପରେ ହଠାତ୍ ବଦଳିଗଲା ଦୁଇ ଦେଶର ବନ୍ଧୁତ୍ୱର ସମୀକରଣା କିନ୍ତୁ ଏବେ ଏହି ବନ୍ଧୁତ୍ୱର ସ୍ଥାନରେ ବଢୁଛି ଅବିଶ୍ୱାସା ଯେଉଁ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ବାଂଲାଦେଶ ଚୀନ୍ ଓ ପାକିସ୍ତାନର ହାତ ଧରିଥିଲା, ଏବେ ସେହି ଭାରତ ଆଗରେ ସାହାଯ୍ୟ ମାଗିବାକୁ ପଡ଼ୁଛି, ଢାକାରେ ଗ୍ୟାସ୍ ନାହିଁ, ବିଦ୍ୟୁତ୍ ସଙ୍କଟ ଦିନକୁ ଦିନ ବଢୁଛି, ଆଉ ଏହି ସମୟରେ ଭାରତ ନେଇଛି ଏମିତି ଏକ ନିଷ୍ପତ୍ତି, ଯାହା ବାଂଲାଦେଶର ଚିନ୍ତା ବଢ଼ାଇ ଦେଇଛି। ତେବେ ଭାରତର ଏଭଳିି କଣ ପଦେକ୍ଷପ ନେବେ ଯାହା ତାରିକ ରହମାନ ସରକାରଙ୍କୁ ବଡ଼ ଝଟକା ଦେବ ? ଚୀନ୍ ଓ ପାକିସ୍ତାନର ଭରସାରେ ଭାରତକୁ ଆଖି ଦେଖାଇବା ବାଂଲାଦେଶ ପାଇଁ ଏବେ ମହଙ୍ଗା ପଡ଼ିବ କି ? ଆସନ୍ତୁ ଜାଣିବା ପୂରା ଘଟଣା।
ଶେଖ ହସିନାଙ୍କ ସରକାର ପତନ ପରଠାରୁ ଭାରତ ଓ ବାଂଲାଦେଶ ସମ୍ପର୍କରେ ଲଗାତାର ଉତ୍ତେଜନା ଦେଖାଯାଉଛି । ୟୁନୁସ୍ ସରକାର ପରେ ତାରିଖ ରେହେମାନଙ୍କ ସରକାର ଆସିବା ପରେ ଦୁଇ ଦେଶର ସମ୍ପର୍କ ସୁଧୁରିବ ବୋଲି ଅନେକ ଆଶା କରିଥିଲେ । କିନ୍ତୁ ଘଟଣାରେ ଅନେକ ନୂଆ ମୋଡ ଦେଖା ଯାଉଛି । ତାରିଖ ରେହେମାନ ସରକାର ଚୀନ ଓ ପାକିସ୍ତାନ ସହ ସମ୍ପର୍କ ବଢାଇବାରେ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଚୀନ ସହ ବାଣିଜ୍ୟ , ଭିତ୍ତିଭୂମି ଓ ରଣନୈତିକ ସହଯୋଗ ବଢାଇବାର ପ୍ରୟାସ ଭାରତ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ ।
କିନ୍ତୁ ଏହି ରାଜନୈତିକ ଖେଳ ମଧ୍ୟରେ ବାଂଲାଦେଶର ଅର୍ଥନୀତି ଏବେ ଆଉ ଏକ ବଡ଼ ସମସ୍ୟାର ସାମ୍ନା କରୁଛି—ଶକ୍ତି ସଙ୍କଟ। ଗ୍ୟାସ୍ ଯୋଗାଣରେ ଅଭାବ ହେବାରୁ ବିଦ୍ୟୁତ୍ ଉତ୍ପାଦନ ଉପରେ ଚାପ ପଡ଼ୁଛି। ଏହାର ପ୍ରଭାବ ଶିଳ୍ପ ଏବଂ ବିଶେଷକରି ବୟନ ଓ ପୋଷାକ ଶିଳ୍ପ ଉପରେ ପଡ଼ିବାର ଆଶଙ୍କା ରହିଛି। ବାଂଲାଦେଶର ଅର୍ଥନୀତିରେ ପୋଷାକ ରପ୍ତାନିର ଭୂମିକା ବହୁତ ବଡ଼। ତେଣୁ ବିଦ୍ୟୁତ୍ ଓ ଗ୍ୟାସ୍ ସଙ୍କଟ ଦୀର୍ଘ ସମୟ ରହିଲେ ଏହାର ପ୍ରଭାବ ସିଧାସଳଖ ରପ୍ତାନି ଉପରେ ପଡ଼ିପାରେ।ଏହି ପରିସ୍ଥିତିରେ ବାଂଲାଦେଶ ପାଇଁ ଭାରତରୁ ଆସୁଥିବା ବିଦ୍ୟୁତ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତର ବିଭିନ୍ନ ସଂସ୍ଥା ସହ ବାଂଲାଦେଶର ବିଦ୍ୟୁତ୍ ଯୋଗାଣ ଚୁକ୍ତି ରହିଛି। ଏହା ସହ ଆଦାନୀ ପାୱାରରୁ ମଧ୍ୟ ବାଂଲାଦେଶ ବିଦ୍ୟୁତ୍ ପାଉଛି।ଆଉ ଏବେ ଏହି ସମ୍ପର୍କରେ ଆସିଛି ଏକ ନୂଆ ମୋଡ଼।ଭାରତ ପକ୍ଷରୁ ବାଂଲାଦେଶକୁ ଯାଉଥିବା ବିଦ୍ୟୁତ୍ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ନେଇ ଚର୍ଚ୍ଚା ହେଉଛି। ଯଦି ଏପରି ନିଷ୍ପତ୍ତି କାର୍ୟ୍ୟକାରୀ ହୁଏ, ତେବେ ବାଂଲାଦେଶର ବିଦ୍ୟୁତ୍ ଆମଦାନି ଖର୍ଚ୍ଚ ବଢ଼ିପାରେ।
ଅର୍ଥାତ୍ ଗୋଟିଏ ପଟେ ବାଂଲାଦେଶ ଗ୍ୟାସ୍ ଅଭାବରେ ଜୁଝୁଛି, ଅନ୍ୟପଟେ ବିଦ୍ୟୁତ୍ ଆମଦାନି ଉପରେ ନିର୍ଭରଶୀଳତା ବଢ଼ୁଛି। ଏଭଳି ସମୟରେ ବିଦୁ୍ୟତ ଖର୍ଚ୍ଚ ବଢିଲେ ଶିଳ୍ପ ଠାରୁ ସାଧାରଣ ଲୋକ- ସମସ୍ତିଙ୍କ ଉପରେ ଚାପ ବଢିପାରେ । ସବୁଠାରୁ ବଡ ପ୍ରଶ୍ନ ହେଉଛି ତାରିକ ରେହେମାନ ସରକାର ଏବେ କେଉଁ ପଥକୁ ବାଛିବେ ଏବଂ କଣ ନିଷ୍ପତି ନେବେ । ଚୀନ ଓ ପାକିସ୍ତାନର ସହ ଯୋଗରେ ଭାରତଠାରୁ ଦୂରେଇବେ ନା ନିଜ ଦେଶନ ଅର୍ଥନୀତି ଓ ସ୍ୱାର୍ଥ ପାଇଁ ଭାରତ ସହ ସମ୍ପର୍କକୁ ସୁଧାରିବେ ?
ଏବେ ଆଗାମୀ ଦିନରେ ଢାକାର ନିଷ୍ପତ୍ତି ହିଁ ସ୍ପଷ୍ଟ କରିବ—ଭାରତକୁ ଚ୍ୟାଲେଞ୍ଜ ଦେବାର ରଣନୀତି ବାଂଲାଦେଶ ପାଇଁ ଲାଭଦାୟକ ହେବ, ନା ନିଜ ଦେଶ ପାଇଁ ନୂଆ ସଙ୍କଟ ସୃଷ୍ଟି କରିବ।




