ପୂର୍ବତନ ପଞ୍ଜାବ ମନ୍ତ୍ରୀ ଲାଲଜିତ ସିଂହ ଗିରଫ
ଅମୃତସର: ପୂର୍ବତନ ପଞ୍ଜାବ ମନ୍ତ୍ରୀ ତଥା ଆପ୍ ବିଧାୟକ ଲାଲଜିତ ସିଂହ ଭୁଲ୍ଲରଙ୍କୁ ସୋମବାର ପୁଲିସ ଗିରଫ କରିଛି। ଭୁଲ୍ଲରଙ୍କୁ ଫତେଗଡ଼ ସାହେବ ଜିଲ୍ଲାର ମଣ୍ଡି ଗୋବିନ୍ଦଗଡ଼ରୁ ଗିରଫ କରାଯାଇଥିବା ନେଇ ଜଣେ ପୁଲିସ ଅଧିକାରୀ ଅମୃତସରରେ ସାମ୍ବାଦିକମାନଙ୍କୁ କହିଛନ୍ତି। ପୁଲିସ କହିଛି ଯେ, ଭୁଲ୍ଲରଙ୍କୁ ମଣ୍ଡି ଗୋବିନ୍ଦଗଡ଼ରୁ ଅମୃତସର ଅଣାଯାଇଛି ଏବଂ ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, ଅମୃତସରରେ ପଞ୍ଜାବ ରାଜ୍ୟ ପଣ୍ୟାଗାର ନିଗମର ଜିଲ୍ଲା ପରିଚାଳକ ଗଗନଦୀପ ସିଂହ ରନ୍ଧାୱା ଶନିବାର ପ୍ରତ୍ୟୁଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଏକ ଭିଡିଓ ଜାରି ହୋଇଥିଲା ଯେଉଁଥିରେ ସେ ଭୁଲ୍ଲରଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ଭୁଲ୍ଲର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିର୍ଦ୍ଦେଶରେ ମନ୍ତ୍ରିପଦରୁ ଇସ୍ତଫା ଦେଇଥିଲେ। ଶନିବାର ରାତିରେ ଅମୃତସର ପୁଲିସ ଭୁଲ୍ଲର, ତାଙ୍କ ବାପା ସୁଖଦେବ ସିଂହ ଭୁଲ୍ଲର ଓ ବ୍ୟକ୍ତିଗତ ସହାୟକ ଦିଲବାଗ ସିଂହଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ)ର ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସୁକାଇବା), ୩୫୧ (୩) (ଅପରାଧିକ ଧମକ) ଏବଂ ୩ (୫) ଅନୁଯାୟୀ ମାମଲା ରୁଜୁ କରିଛି। ଇତି ମଧ୍ୟରେ ମାନ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ, ଯଦି କେହି ଆଇନ ଉଲ୍ଲଂଘନ କରନ୍ତି ତେବେ ସେ ଯେକୌଣସି ପଦବିରେ ଥାଆନ୍ତୁ ନା କାହିଁକି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷେ ଭୁଲ୍ଲର କହିଛନ୍ତି, ସେ ମଣ୍ଡି ଗୋବିନ୍ଦଗଡ଼ରେ ଆତ୍ମସମର୍ପଣ କରିଛନ୍ତି ଏବଂ ସେ ଫେରାର ହେବା ଖବର ମିଛ।




