ରିଭୋଲ୍ୟୁସନାରି ଗାର୍ଡ଼କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ୟୁରୋପୀୟ ସଂଘ
ତେହେରାନ: ବିଦ୍ରୋହୀଙ୍କୁ ଦମନ କରିବାକୁ ଇରାନ କଡ଼ା ପଦକ୍ଷେପ ଗ୍ରହଣ କରୁଥିବାବେଳେ ୟୁରୋପୀୟ ସଂଘ (ଇୟୁ) ଇରାନକୁ କଡ଼ା ଜବାବ ଦେଇଛି। ଇରାନର ଶକ୍ତିଶାଳୀ ସେନା ଇସଲାମିକ୍ ରିଭୋଲ୍ୟୁସନାରୁ ଗାର୍ଡ କର୍ପସ୍ (ଆଇଆର୍ଜିସି)କୁ ଏହା ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ଗୁରୁବାର ବ୍ରସେଲ୍ସରେ ହୋଇଥିବା ୟୁରୋପୀୟ ସଂଘ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ପରେ ଏହାର ସମ୍ପତ୍ତି ଜବତ କରାଯିବା ସହିତ ପାଣ୍ଠି ଯୋଗାଣ ଉପରେ କଟକଣା ଲାଗିବ। ଏଥିସହ ଆଇଆରଜିସି ସଦସ୍ୟଙ୍କ ୟୁରୋପ ଗସ୍ତ ଉପରେ କଟକଣା ଲାଗିବ। ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ପୂର୍ବରୁ ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛନ୍ତି। କୂଟନୀତିଜ୍ଞ କାଜା କାଲାସ୍ କହିଛନ୍ତି, ଦମନର ଜବାବ ଯେମିତି ହେଲେ ଦିଆଯିବ। ଇରାନର ଏକ ପ୍ରମୁଖ ସାମରିକ, ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତି ଆଇଆରଜିସି ଏବେ ଅଲ-କାଏଦା ଓ ଇସଲାମିକ୍ ଷ୍ଟେଟ୍ ପରି ସମାନ ଜିହାଦୀ ତାଲିକାଭୁକ୍ତ ହୋଇଛି। ଇରାନ ଇୟୁର ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଛି। ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି, ୟୁରୋପ ଆମେରିକା ନିର୍ଦ୍ଦେଶରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ଅରାଘଚି କହିଛନ୍ତି, ଗାଜା ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୟୁରୋପୀୟ ସଂଘ , ଇରାନ ପ୍ରସଙ୍ଗରେ ମାନବାଧିକାର ଚିନ୍ତା କରୁଛି।



