ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ନାଗରିକତା, ସିଏଏ ଲାଗୁ ନେଇ ଶୁଭେନ୍ଦୁଙ୍କ ବଡ଼ ଘୋଷଣା

ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ନାଗରିକତା, ସିଏଏ ଲାଗୁ ନେଇ ଶୁଭେନ୍ଦୁଙ୍କ ବଡ଼ ଘୋଷଣା
Samaya Live Desk Picture
Published On

କୋଲକାତା: ପଡ଼ୋଶୀ ଦେଶରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଚାଲିଆସିଥିବା ହିନ୍ଦୁଙ୍କୁ ନାଗରିକତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନାଗରିକତା ସଂଶୋଧନ ଆଇନ (ସିଏଏ) ଅନ୍ତର୍ଗତ ସମସ୍ତ ଯୋଗ୍ୟ ଆବେଦନର ଫଏସଲା କରାଯିବା ସହ ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯିବ। ପଶ୍ଚିମବଙ୍ଗରେ ଏନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବଡ଼ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ଆବେଦନକାରୀ ବାଦ୍ ପଡ଼ିବେ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଶୁକ୍ରବାର ନଦିଆ ଜିଲ୍ଲାର ଆରଙ୍ଗଘାଟାଠାରେ ଏକ କାଳୀପୂଜା ମଣ୍ଡପ ଉଦ୍‌ଘାଟନ ଅବସରରେ ଶୁଭେନ୍ଦୁ ଏହି ଘୋଷଣା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ନଦିଆ ଓ ଉତ୍ତର ୨୪ ପ୍ରଗଣା ଜିଲାରେ ପ୍ରାୟ ୨.୫ ଲକ୍ଷ ନାଗରିକତା ଆବେଦନ ବିଚାରାଧୀନ ରହିଛି। ଏହି ଦୁଇଟି ସୀମାନ୍ତ ଜିଲାରେ ବାଂଲାଦେଶରୁ ଆସିଥିବା ଲୋକଙ୍କ ସଂଖ୍ୟା ଅଧିକ। ପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ସିଏଏ କାର୍ଯ୍ୟକାରୀ କରିବାରେ ବିଫଳ ହେବାରୁ ହଜାର ହଜାର ଆବେଦନ ପଡ଼ିରହିଥିବା ସେ ଅଭିଯୋଗ କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ବିଚାରାଧୀନ ଆବେଦନଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସରକାର ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ଗୃହ ବିଭାଗ ମାଧ୍ୟମରେ ଜିଲାପାଳମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି। ସେହିପରି ଉପଖଣ୍ଡ ଅଧିକାରୀମାନେ ଆବେଦନଗୁଡ଼ିକର ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ତଦାରଖ କରିବେ। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ଆବେଦନର ସମାଧାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ସଂସଦରେ ପାରିତ ହୋଇଥିବା ସିଏଏ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପାଇବାର ସୁଯୋଗ ମିଳିଥାଏ। ୨୦୧୪ ଡିସେମ୍ବର ୩୧ କିମ୍ବା ଏହା ପୂର୍ବରୁ ଭାରତ ଆସିଥିବା ଲୋକେ ଏହାର ପରିସରଭୁକ୍ତ। ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ଏହି ଆଇନର ନିୟମାବଳୀ ଅଧିସୂଚିତ କରିବା ପରେ ଏହାର କାର୍ଯ୍ୟକାରିତା ପଥ ପରିଷ୍କାର ହୋଇଥିଲା। ଏହି ପ୍ରସଙ୍ଗରେ ମତୁଆ ସମ୍ପ୍ରଦାୟ ମଧ୍ୟରେ ବିଶେଷ ଆଗ୍ରହ ରହିଛି। ବାଂଲାଦେଶରୁ ଆସିଥିବା ଏହି ସମ୍ପ୍ରଦାୟର ଲୋକେ ଦୀର୍ଘଦିନ ଧରି ଆଇନଗତ ନାଗରିକତା ଦାବି କରିଆସୁଛନ୍ତି। ଏହାସହ ପୂର୍ବ ସରକାର ଦୁର୍ଗାପୂଜା ଉତ୍ସବ ଓ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ଦେବାରେ କଟକଣା ଲଗାଉଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ପୁରାତନ ମଠ ଓ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ଆସନ୍ତା ଦୁଇବର୍ଷ ମଧ୍ୟରେ ୧,୦୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ‘ତୀର୍ଥକ୍ଷେତ୍ର ସର୍କିଟ୍‌’ ନାମକ ପ୍ରସ୍ତାବିତ ଯୋଜନାରେ ଟ୍ରଷ୍ଟ, ବିଭିନ୍ନ ସଂସ୍ଥା ଓ ସାର୍ବଜନୀନ ସଂଗଠନ ଦ୍ୱାରା ପରିଚାଳିତ ଧାର୍ମିକ ଅନୁଷ୍ଠାନଗୁଡ଼ିକର ନବୀକରଣ କରାଯିବ। ତେବେ ବ୍ୟକ୍ତିଗତ ମାଲିକାନାରେ ଥିବା ଧାର୍ମିକ ଅନୁଷ୍ଠାନ ଏହି ଯୋଜନାରେ ସାମିଲ ହେବେ ନାହିଁ।

Tags: