୩୪ ବର୍ଷର ମାମଲାରେ ୮୪ ବର୍ଷୀୟ ବୃଦ୍ଧ ଦୋଷୀସାବ୍ୟସ୍ତ
ପାଟନା : ବିହାରର ବୈଶାଳୀ ଜିଲ୍ଲାରେ ଘଟିଥିବା ଏକ ଆକ୍ରମଣ ଘଟଣାର ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ପରେ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ଜୀବିତ ଥିବା ଏକମାତ୍ର ୮୪ ବର୍ଷୀୟ ବୃଦ୍ଧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୀର୍ଘ ଦିନର ଆଇନଗତ ପ୍ରକ୍ରିୟା ପରେ ଆସିଥିବା ଏହି ରାୟ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଅତ୍ୟଧିକ ବୃଦ୍ଧ ହୋଇଯାଇଛନ୍ତି। କୋର୍ଟ ପରିସରରୁ ବାହାରିବା ସମୟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଧରି ସାହାଯ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମାମଲାଟି ୧୯୯୨ ମସିହା ମେ ୧୦ ତାରିଖର ଘଟିଥିଲା, ଯେତେବେଳେ ଜୁଧାବନପୁର ଗ୍ରାମର ବାସିନ୍ଦା ଅଦାଲତ ରାୟ ଏକ ଆନୁଷ୍ଠାନିକ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ, ଏକ ପାରିବାରିକ ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ହଠାତ୍ ଅଦାଲତ ରାୟଙ୍କ ଘରେ ପହଞ୍ଚି ଆକ୍ରମଣ କରିଥିଲେ। ସେମାନେ ଅଦାଲତ ଓ ତାଙ୍କ ପତ୍ନୀଙ୍କ ଉପରକୁ ପ୍ରାଣଘାତୀ ଆକ୍ରମଣ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ୧୯୯୩ ମସିହାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ମାତ୍ର ଏହାପରେ ଆରମ୍ଭ ହୋଇଥିବା ଆଇନଗତ ଲଢ଼େଇ ପ୍ରାୟ ୩୪ ବର୍ଷ ଧରି ଚାଲିଥିଲା। ଏହି ଦୀର୍ଘ ବିଚାର ପ୍ରକ୍ରିୟା ମଧ୍ୟରେ ମୋଟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ହୋଇ ସାରିଛି। କେବଳ ଦୀପ୍ ରାୟ ନାମକ ଜଣେ ଅଭିଯୁକ୍ତ ଜୀବିତ ଥିଲେ। ମାମଲାର ସମସ୍ତ ଦିଗ ଓ ସାକ୍ଷ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ପରେ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମନୋଜ କୁମାର ତିୱାରୀ ଅଭିଯୁକ୍ତ ଦୀପ୍ ରାୟଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୧୪୭ (ଦଙ୍ଗା), ୧୪୮ (ମାରାତ୍ମକ ଅସ୍ତ୍ର ସହ ଦଙ୍ଗା) ଏବଂ ୩୦୭ (ହତ୍ୟା ଉଦ୍ୟମ) ସମେତ ଆର୍ମସ ଆକ୍ଟର ଧାରା ୧୩୪ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯଦିଓ କୋର୍ଟଙ୍କ ଦ୍ୱାରା ଦୋଷ ସାବ୍ୟସ୍ତ ହୋଇଛି, ତଥାପି ଦଣ୍ଡର ପରିମାଣ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କୋର୍ଟ ଆସନ୍ତା ବୁଧବାର ଉକ୍ତ ବୃଦ୍ଧ ଦୋଷୀଙ୍କ ପାଇଁ ଦଣ୍ଡ ଘୋଷଣା କରିବେ।



