ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରୁ ୮ ଆତଙ୍କୀ ଗିରଫ

ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରୁ ୮ ଆତଙ୍କୀ ଗିରଫ
Samaya Live Desk Picture
Published On

ନୂଆଦିଲ୍ଲୀ:  ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି। ଏହି ଆତଙ୍କୀମାନେ ଲସ୍କର ଏ ତୋଏବା ସଂଗଠନ ସହ ସଂପୃକ୍ତ ଥିବା ଜଣାପଡ଼ିଛି। ରବିବାର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୮ ଜଣ ଆତଙ୍କବାଦୀ ଲସ୍କର ଏବଂ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ନିୟନ୍ତ୍ରିତ ହେଉଥିଲେ । ସେମାନେ ଲସ୍କର ଓ ବାଂଲାଦେଶର କିଛି ନିଷିଦ୍ଧ ଚରମପନ୍ଥୀ ଗୋଷ୍ଠୀ ସହିତ ସମନ୍ବୟ ରକ୍ଷା କରି ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏହି ମଡ୍ୟୁଲ୍ ଦେଶର କିଛି ପ୍ରମୁଖ ସହରରେ ବିସ୍ଫୋରଣ ଏବଂ ଟାର୍ଗେଟ୍ କିଲିଂ ପାଇଁ ପ୍ରସ୍ତୁତି ଚଳାଇଥିଲା ଏବଂ କେତେକ ସ୍ଥାନରେ ରେକି କରିଥିବା ଜଣାପଡ଼ିଛି। ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ତାମିଲନାଡୁର ତିରୁପୁର ଜିଲ୍ଲାର ବିଭିନ୍ନ ପୋଷାକ କାରଖାନାରୁ ଗିରଫ କରାଯାଇଛି। ସେମାନେ ସେଠାରେ ଶ୍ରମିକ ଭାବେ କାମ କରି ନିଜର ପ୍ରକୃତ ପରିଚୟ ଲୁଚାଇ ରହୁଥିଲେ। ସେମାନଙ୍କ ନିକଟରୁ ୮ଟି ମୋବାଇଲ୍ ଫୋନ୍ ଏବଂ ୧୬ଟି ସିମ୍ କାର୍ଡ ଜବତ କରାଯାଇଛି।ଏହି ଡିଜିଟାଲ୍ ଉପକରଣଗୁଡ଼ିକର ବର୍ତ୍ତମାନ ଫୋରେନ୍ସିକ୍ ଯାଞ୍ଚ କରାଯାଉଛି, ଯାହାଦ୍ୱାରା ସେମାନଙ୍କ ଅନ୍ୟ ସହଯୋଗୀ ଏବଂ ବିଦେଶୀ ସମ୍ପର୍କ ବିଷୟରେ ଅଧିକ ପ୍ରମାଣ ମିଳିପାରିବ। ଗିରଫ ବ୍ୟକ୍ତିମାନେ ହେଲେ ମିଜାନୁର ରହମାନ, ମହମ୍ମଦ ଶବାତ, ଉମର, ମହମ୍ମଦ ଲିଟନ, ମହମ୍ମଦ ଶାହିଦ ଏବଂ ମହମ୍ମଦ ଉଜ୍ଜ୍ୱଳ । ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ବାଂଲାଦେଶୀ ନାଗରିକ ଅଛନ୍ତି। ସେମାନେ ବେଆଇନ ଭାବେ ସୀମା ପାର୍ ହୋଇ ଭାରତରେ ପ୍ରବେଶ କରିଥିଲେ ଏବଂ ଜାଲ୍ ଆଧାର କାର୍ଡ ବ୍ୟବହାର କରି ନିଜକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଉଥିଲେ।    

Tags: