ପଶ୍ଚିମବଙ୍ଗରେ ମମତାଙ୍କ ବିଧାୟକ କୁନାଲ ଘୋଷଙ୍କ କାର୍‌କୁ ଅଣ୍ଡା ଓ ପଥର ମାଡ଼

ପଶ୍ଚିମବଙ୍ଗରେ ମମତାଙ୍କ ବିଧାୟକ କୁନାଲ ଘୋଷଙ୍କ କାର୍‌କୁ ଅଣ୍ଡା ଓ ପଥର ମାଡ଼
Samaya Live Desk Picture
Published On

କୋଲକାତା : ପଶ୍ଚିମବଙ୍ଗର ହୁଗୁଳିରେ ଶନିବାର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ବିଧାୟକ କୁନାଲ ଘୋଷଙ୍କ କାର୍‌ ଉପରକୁ ଉତ୍ୟକ୍ତ ଜନତା ଜନତା ଅଣ୍ଡା ଓ ପଥର ମାଡ଼ କରିଛନ୍ତି। ମମତା ବାନାର୍ଜୀଙ୍କ ଏକ ରାଲିରେ ଯୋଗଦେବା ପାଇଁ ଯାଉଥିବା ସମୟରେ କୁନାଲ ଘୋଷଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଉତ୍ୟକ୍ତ ଜନତା କୁନାଲ ଘୋଷଙ୍କ କାର୍‌କୁ ଅଟକାଇ ତା‘ ଉପରକୁ ଅଣ୍ଡା ଫିଙ୍ଗୁଥିବା ଦେଖାଯାଇଛି। ଭିଡିଓରେ କୁନାଲ ଘୋଷ କାର୍‌ ଭିତରେ ବସିଥିବା ବେଳେ ଲୋକମାନେ କାର୍‌କୁ ବାଡ଼େଇବା ସହ ଅଣ୍ଡା ଓ ପଥର ଫିଙ୍ଗୁଥିବା ଏବଂ ‘କୁନାଲ ଘୋଷ ଗୋ ବ୍ୟାକ୍’ ବୋଲି ସ୍ଲୋଗାନ ଦେଉଥିବା ଦେଖାଯାଇଛି। ଆକ୍ରମଣରେ କାର୍‌ର ପଛ କାଚ ଭାଙ୍ଗିଯାଇଥିବା ମଧ୍ୟ ଭିଡିଓରେ ଦେଖାଯାଇଛି। କାର୍‌ଟି କ୍ଷତିଗ୍ରସ୍ତ ହେବା ପରେ କୁନାଲ ଘୋଷଙ୍କୁ କୋଲକାତା ଫେରିବାକୁ ପଡ଼ିଥିଲା। ଘଟଣାକୁ ନେଇ କୁନାଲ ଘୋଷ କହିଛନ୍ତି, ‘ଏହା ଜଙ୍ଗଲ ରାଜ। ସେମାନେ ମୋ କାର୍‌ ଉପରକୁ ପଥର ଓ ଅଣ୍ଡା ଫିଙ୍ଗିଲେ ଏବଂ ରାସ୍ତା ଅବରୋଧ କଲେ। ସେଠାରେ କୌଣସି ପୋଲିସ କର୍ମଚାରୀ ଉପସ୍ଥିତ ନଥିଲେ। ମୁଁ ଏବେ କୋଲକାତା ଫେରୁଛି ଏବଂ ସିଧା ଲାଲବଜାର କିମ୍ବା ଭବାନୀ ଭବନ ଯାଇ ଅଭିଯୋଗ ଦାଖଲ କରିବି। ଉଲ୍ଲେଖଯୋଗ୍ୟ ମେ ମାସରେ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରଠାରୁ ଦଳର ନେତାମାନଙ୍କ ଉପରେ ଅଣ୍ଡା ମାଡ଼ ଘଟଣା ଦେଖିବାକୁ ମିଳିଛି। ଟିଏମ୍‌ସିଏହି ଅଣ୍ଡା ମାଡ଼ ଘଟଣା ପାଇଁ ବିଜେପିକୁ ଦାୟୀ କରୁଥିବା ବେଳେ, ଶାସକ ଦଳ ଏହାକୁ ‘ଦୁର୍ନୀତିଗ୍ରସ୍ତ’ ଟିଏମ୍‌ସି ନେତାଙ୍କ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବୋଲି କହିଛି। ଚଳିତ ମାସ ଆରମ୍ଭରେ ନଦିଆ ଜିଲ୍ଲାର ତେହଟ୍ଟାରେ ଏକ ରାଜନୈତିକ ବୈଠକରୁ ଫେରୁଥିବା ସମୟରେ ସାଂସଦ ମହୁଆ ମୋଇତ୍ରା ମଧ୍ୟ ବିଜେପି କର୍ମୀଙ୍କ ଅଣ୍ଡା ମାଡ଼ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ। ଏଭଳି ଅନେକ ଘଟଣା ସମ୍ପର୍କରେ ପୂର୍ବରୁ କଲକାତା ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି ଅଣ୍ଡା ମାଡ଼ ଘଟଣା ବିରୋଧରେ କଣ ପଦକ୍ଷେପ ନିଆଯାଇଛି, ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ କହିଥିଲେ।

Tags: