ଜମି ହଡ଼ପ ମାମଲାରେ ପୂର୍ବତନ କୋଲକାତା ପୁଲିସ ଅଧିକାରୀଙ୍କ ୨.୭୮ କୋଟିର ସମ୍ପତ୍ତି ଜବତ କଲା ଇଡି
କୋଲକାତା: ଜମି ହଡ଼ପ, ବଟି ଆଦାୟ ଓ ବେଆଇନ ଅର୍ଥ କାରବାର ମାମଲାରେ ଫସିଛନ୍ତି କୋଲକାତା ପୁଲିସର ପୂର୍ବତନ ଡେପୁଟି କମିସନର ସାନ୍ତନୁ ସିହ୍ନା ବିଶ୍ୱାସ। ଏହି ମାମଲାରେ ତାଙ୍କ ସହ ସମ୍ପୃକ୍ତ ୨.୭୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମି ହଡ଼ପ ଓ ଦୁର୍ନୀତି ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ତଦନ୍ତକାରୀ ସଂସ୍ଥା। ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ଏହି ସମ୍ପତ୍ତିଗୁଡ଼ିକୁ ଅସ୍ଥାୟୀ ଭାବେ ଜବତ କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ କୋଲକାତାରେ ଥିବା ତିନୋଟି ଫ୍ଲାଟ୍ ଏବଂ ମୁର୍ଶିଦାବାଦ ଜିଲ୍ଲାର କାଣ୍ଡିଠାରେ ଥିବା ଏକ ଜମି ରହିଛି। ଏହି ସମ୍ପତ୍ତିଗୁଡ଼ିକ ବିଶ୍ୱାସ, ତାଙ୍କ ପରିବାର ସଦସ୍ୟ ଓ ସହଯୋଗୀଙ୍କ ନାମରେ ରହିଛି। ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ସମୟରେ ବିଶ୍ୱାସ କୋଲକାତା ପୁଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ସେ କାଳୀଘାଟ ଥାନାର ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ଥାନା ଅଧୀନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ରହିଛି। ଜମି ହଡ଼ପ ରାକେଟ୍ ସହ ଜଡ଼ିତ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ଗତ ମେ’ ମାସରେ ବିଶ୍ୱାସଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ଇଡିର ତଦନ୍ତ ଅନୁଯାୟୀ, ବିଶ୍ୱଜିତ ପୋଦ୍ଦାର ଓରଫ ସୋନା ପାପ୍ପୁ, ଜୟ ଏସ୍. କାମଦାର ଏବଂ ସେମାନଙ୍କ ସହଯୋଗୀଙ୍କ ନିୟନ୍ତ୍ରଣରେ ଥିବା ସଂସ୍ଥା ମାଧ୍ୟମରେ ବଟି ଆଦାୟ, ଜମି ହଡ଼ପ ଓ ବେଆଇନ ନିର୍ମାଣ କାର୍ଯ୍ୟ ଜରିଆରେ ଅପରାଧଲବ୍ଧ ଅର୍ଥ ସୃଷ୍ଟି କରାଯାଇଥିଲା। ପଦରେ ଥିବା ସମୟରେ ବିଭିନ୍ନ ବେସରକାରୀ ସଂସ୍ଥା ଓ ବ୍ୟବସାୟୀଙ୍କୁ ବେଆଇନ ସୁବିଧା ଦେବା ବଦଳରେ ବିଶ୍ୱାସ କୋଟି କୋଟି ଟଙ୍କାର ଆର୍ଥିକ ଲାଭ ପାଇଥିବା ଅଭିଯୋଗ ହୋଇଛି। ଇଡି ଅନୁଯାୟୀ, କାଳୀଘାଟ ଥାନାର ଅଧିକାରୀ ଥିବାବେଳେ ବିଶ୍ୱାସଙ୍କର ଜୟ କାମଦାରଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା। ଏହି ସମ୍ପର୍କର ସୁଯୋଗ ନେଇ କାମଦାର ପୁଲିସ ବିଭାଗରେ ପ୍ରଭାବ ବିସ୍ତାର କରିଥିଲେ। ବିଶ୍ୱାସ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅତିକମ୍ରେ ୨.୮୯ କୋଟି ଟଙ୍କାର ଅପରାଧଲବ୍ଧ ସମ୍ପତ୍ତି ହାସଲ, ଲୁଚାଇବା ଓ ନିଜ ଅକ୍ତିଆରରେ ରଖିଥିବା ଇଡି ଅଭିଯୋଗ କରିଛି। ଅଭିଯୋଗ ଅନୁସାରେ, ସୋନା ପାପ୍ପୁ ଓ ଜୟ କାମଦାରଙ୍କ ସହ ମିଶି ବିଶ୍ୱାସ କୋଲକାତାର ବିଭିନ୍ନ ମୂଲ୍ୟବାନ ଜମିକୁ ବେଆଇନ ଭାବେ ହଡ଼ପ କରିବାରେ ସାମିଲ ଥିଲେ। ଜମି ମାଲିକମାନଙ୍କୁ ଧମକଚମକ ଦେବା ଓ ହଇରାଣ କରିବା ପାଇଁ ସେ ପୁଲିସ ପଦବୀର ଅପବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ରାକେଟ୍ ମାଧ୍ୟମରେ ଅତିକମ୍ରେ ୫୦ କୋଟି ଟଙ୍କାର ଅପରାଧଲବ୍ଧ ଅର୍ଥ ସୃଷ୍ଟି ହୋଇଥିବା ଇଡି ଦାବି କରିଛି।
ଏହି ମାମଲାରେ ଗତ ଜୁଲାଇରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା। ସେଥିରେ ପ୍ରାୟ ୩ କୋଟି ଟଙ୍କାର ଅର୍ଥ ହେରଫେରରେ ବିଶ୍ୱାସଙ୍କ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଥିବା ଦାବି କରାଯାଇଥିଲା। ଅନ୍ୟପକ୍ଷରେ, କୋଲକାତା ପୁଲିସ ମଧ୍ୟ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ବିଶ୍ୱାସଙ୍କ ବିରୋଧରେ ପୃଥକ ମାମଲା ରୁଜୁ କରିଛି। ବେଆଇନ ଅର୍ଥ କାରବାର, ଦୁର୍ନୀତି ଓ ଜମି ହଡ଼ପ ଅଭିଯୋଗରେ ଇଡିର ତଦନ୍ତ ଜାରି ରହିଛି।
Tags:




