ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ
Samaya Live News Picture
Published On

 ୱାଶିଂଟନ : ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା । ଆମେରିକାରେ  ନିର୍ବାଚନୀ ପ୍ରକ୍ରିୟା ଏବଂ ନିର୍ବାଚନୀ ଜାଲିଆତିକୁ ରୋକିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାର ଉଦାହରଣ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକା ରାଜନୀତିରେ ବର୍ତ୍ତମାନ 'ମତଦାନ ପାଇଁ ଫଟୋ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବ କି ନାହିଁ?'କୁ ନେଇ ଚାଲିଛି ବଡ଼ ବିତର୍କ । ଟ୍ରମ୍ପ ଆମେରିକାର ପ୍ରତ୍ୟେକ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରିବାକୁ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ‘ସେଭ୍ ଆମେରିକା ଆକ୍ଟ’ ପାସ୍ କରିବାକୁ ଜୋର ଦେଇଛନ୍ତି ।

ବାଧ୍ୟତାମୂଳକ ଭୋଟର ପରିଚୟପତ୍ର ପାଇଁ ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଏକ ପୋଷ୍ଟ କରି ଜ୍ଞାନେଶ କୁମାରଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଭୋଟରଙ୍କ ପାଖରେ ଏକ ବୈଧ ଫଟୋ ପରିଚୟପତ୍ର ରହିବା ଆବଶ୍ୟକ। ଟ୍ରୁଥ ‌ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ ଏହି ମାସର ଆରମ୍ଭରେ, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ପ୍ରଶାସନକୁ ପଚାରିଥିଲେ, ବୈଧ ଫଟୋ ପରିଚୟପତ୍ର ବିନା ଆପଣ ଆମେରିକାରେ କିପରି ନିର୍ବାଚନ କରିପାରିବେ? 

ଟ୍ରମ୍ପ ଭାରତର ୨୦୨୪ ସାଧାରଣ ନିର୍ବାଚନର ଉଦାହରଣ ଦେଇ କହିଛନ୍ତି ଯେ, ଯେଉଁଠାରେ ୬୪.୬ କୋଟି ଭୋଟର ଥିଲେ, ସେଠାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ଥିଲା । ରାଷ୍ଟ୍ରପତି ଟ୍ରମ୍ପ କଂଗ୍ରେସକୁ ‘ଆମେରିକା ସୁରକ୍ଷା ଆଇନ’ ଶୀଘ୍ର ପାସ୍ କରିବାକୁ ଅନୁରୋଧ କରିଛନ୍ତି। ଏହି ବିଲ୍ ଆମେରିକାର ସଂଘୀୟ ନିର୍ବାଚନରେ ​​ନାଗରିକତାର ପ୍ରମାଣ ଏବଂ ଏକ ବୈଧ ପରିଚୟପତ୍ରକୁ ବାଧ୍ୟତାମୂଳକ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା କେବଳ ଆମେରିକୀୟ ନାଗରିକମାନେ ଭୋଟ ଦେଇପାରିବେ। ଟ୍ରମ୍ପ ପ୍ରଶାସନ କହିଛି ଯେ ଭାରତର ପରି ଏକ ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ ହେବ। 

ସୂଚନାନୁସାରେ, ୨୭ ଜାନୁଆରୀ ୧୯୬୪ରେ ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମଗ୍ରହଣ କରିଥିବା ଜ୍ଞାନେଶ କୁମାର ହେଉଛନ୍ତି କେରଳ କ୍ୟାଡରର ୧୯୮୮ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ। ସେ ୧୯ ଫେବୃଆରୀ ୨୦୨୫ରେ ଭାରତର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୩ରେ ପ୍ରଣୟନ ହୋଇଥିବା ନୂତନ ନିର୍ବାଚନ କମିଶନର ନିଯୁକ୍ତି ଆଇନ ଅନୁଯାୟୀ ନିଯୁକ୍ତ ହେବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର।

 

Tags: