ମହିଳା ସାମ୍ବାଦିକଙ୍କୁ ‘ଆକ୍ରମଣ’ ଅଭିଯୋଗ: କିଏ ରିଲ୍ ନିର୍ମାତା, କିଏ ସାମ୍ବାଦିକ- ସରକାରଙ୍କ ପ୍ରଶ୍ନ
ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିରୋଧରେ ହୋଇଥିବା ପ୍ରତିବାଦର ଖବର ସଂଗ୍ରହ କରୁଥିବା ମହିଳା ସାମ୍ବାଦିକଙ୍କୁ ଦିଲ୍ଲୀ ପୁଲିସ ଆକ୍ରମଣ ଓ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ସରକାରଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ ପ୍ରତିବାଦ ସ୍ଥଳରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଏବଂ ସୋସିଆଲ୍ ମିଡିଆ ପାଇଁ ଭିଡିଓ କିମ୍ବା ରିଲ୍ ତିଆରି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ କିପରି ଚିହ୍ନଟ କରାଯିବ।ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମକୋର୍ଟରେ କହିଛନ୍ତି, ‘ଏହି ଟେକ୍ନୋଲୋଜି ଯୁଗରେ ମୋବାଇଲ୍ ଥିବା ଯେକୌଣସି ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି କହିପାରନ୍ତି’। ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ମହିଳା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଏହାର ଶୁଣାଣି ସମୟରେ ତୁଷାର ମେହେଟା କହିଥିଲେ ଯେ ଅନେକ ଲୋକ ମାଇକ୍ ଧରି ନିଜକୁ ରେକର୍ଡିଂ କରୁଥିବା ବୋଲି କହନ୍ତି ଏବଂ ପରେ ସେହି ଭିଡିଓକୁ ରିଲ୍ ଭାବେ ଅପଲୋଡ୍ କରନ୍ତି। ସେ କହିଥିଲେ, ଏପରି ପରିସ୍ଥିତିରେ କିଏ ରିଲ୍ ନିର୍ମାତା ଏବଂ କିଏ ସ୍ୱାଧୀନ ସାମ୍ବାଦିକ, ତାହା ଜାଣିବା ସହଜ ନୁହେଁ। ତେବେ ମେହେଟା ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ କୌଣସି ମହିଳାଙ୍କ ସହ, ଏପରିକି ମହିଳା ପୁଲିସ କର୍ମଚାରୀଙ୍କ ସହ ମଧ୍ୟ ଅଶାଳୀନ ବ୍ୟବହାର କିମ୍ବା ଦୁର୍ବ୍ୟବହାର କରାଯିବା ଉଚିତ୍ ନୁହେଁ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସଙ୍କେତ ଦେଇଛନ୍ତି ଯେ ମହିଳା ସାମ୍ବାଦିକଙ୍କ ଉପରେ ପୁଲିସର ଆକ୍ରମଣ ଓ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇପାରେ। ପ୍ରଧାନ ବିଚାରପତି କହିଛନ୍ତି ଯେ ଅଭିଯୋଗଗୁଡ଼ିକ ଗମ୍ଭୀର। ପ୍ରସ୍ତାବିତ କମିଟିରେ ଅବସରପ୍ରାପ୍ତ ମହିଳା ବିଚାରପତି ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ସଂଖ୍ୟା ଅଧିକ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହା ସହିତ, ପୁଲିସ କର୍ମଚାରୀଙ୍କ ବିରୋଧରେ ଥିବା ନିର୍ଦ୍ଦିଷ୍ଟ ଅଭିଯୋଗଗୁଡ଼ିକର ତଦନ୍ତ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା କରାଯିବା ଉଚିତ୍ କି ନାହିଁ, ସେ ବିଷୟରେ ମଧ୍ୟ କୋର୍ଟ ବିଚାର କରୁଛନ୍ତି। ଇନ୍ଦିରା ଜୟସିଂହ ଦୁଇଟି ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଗୋଟିଏରେ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ସାମ୍ବାଦିକଙ୍କ ନାମ ଏବଂ ଅନ୍ୟଟିରେ କମିଟି ପାଇଁ ବିଚାର କରାଯାଇପାରୁଥିବା ଅବସରପ୍ରାପ୍ତ ମହିଳା ବିଚାରପତି ଓ ପୁଲିସ ଅଧିକାରୀଙ୍କ ନାମ ରହିବ। ଏହି ମାମଲାରେ ଜଣେ ମହିଳା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଇନ୍ଦିରା ଜୟସିଂହ ଦାବି କରିଛନ୍ତି। ଉକ୍ତ ସାମ୍ବାଦିକଙ୍କ ବିରୋଧରେ ସହକାରୀ ପୁଲିସ କମିସନର ବିବେକ ଭଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଏକ ଏତଲା ଦାଖଲ କରିଛନ୍ତି। ଅକ୍ଟୋବର ୩ ତାରିଖରେ ଏକ ପ୍ରତିବାଦର ଖବର ସଂଗ୍ରହ କରୁଥିବା ସମୟରେ ବିବେକ ଭଗତ ତାଙ୍କୁ ଯୌନ ଉତ୍ପୀଡ଼ନ କରିବା ସହ ଅନୁଚିତ ଭାବେ ଶାରୀରିକ ସ୍ପର୍ଶ କରିଥିବା ସାମ୍ବାଦିକ ଜଣକ ଅଭିଯୋଗ କରିଥିଲେ। ଏହାର ପ୍ରତିକ୍ରିୟାରେ ବିବେକ ଭଗତ ଜାତିଗତ ଅପମାନ ଓ ଅପମାନଜନକ ବ୍ୟବହାର ଅଭିଯୋଗ କରି ଏକ ପାଲଟା ଅଭିଯୋଗ ଦାଖଲ କରିଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅନ୍ୟ ଦୁଇଜଣ ସାମ୍ବାଦିକଙ୍କ ନାମ ମଧ୍ୟ ଏତଲାରେ ରହିଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଦିଲ୍ଲୀ ପୁଲିସକୁ ଉକ୍ତ ମହିଳା ସାମ୍ବାଦିକଙ୍କୁ ଗିରଫ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଲିସିଟର ଜେନେରାଲ୍ ତୁଷାର ମେହେଟା କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସାମ୍ବାଦିକ ଜଣକ ତଦନ୍ତରେ ସହଯୋଗ କଲେ ତାଙ୍କୁ ଗିରଫ କରାଯିବ ନାହିଁ।




