ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ

ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ
Samaya Live News Picture
Published On

ନୂଆଦିଲ୍ଲୀ : ଶିକ୍ଷାମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ଆଜି ମୌସୁମୀ ଅଧିବେଶନ ପାଇଁ ସଂସଦରେ ପହଂଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ସାଂସଦମାନେ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ସ୍ଲୋଗାନ ମଧ୍ୟ ଦେଇଥିଲେ । ଏହା ପରେ ତାଙ୍କୁ ପଗଡ଼ି ପିନ୍ଧାଇ ସସମ୍ମାନ ସହିତ ଗୃହ ଭିତରକୁ ନିଆଯାଇଥିଲା । 

ସୂଚନାନୁଯାୟୀ, ଏହି ସ୍ବାଗତ ମାଧ୍ୟମରେ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଏବଂ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଇସ୍ତଫା ନିଷ୍ପତ୍ତି ନିଜସ୍ୱ ଇଚ୍ଛାରେ ନେଇଥିଲେ । ଏହି ନିଷ୍ପତ୍ତିରେ ସମଗ୍ର ସରକାର ଏବଂ ସଂଗଠନ ତାଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛି । ସରକାର ପ୍ରମାଣ କରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ମାଗି ନାହାଁନ୍ତି, ବରଂ ଦେଶ ଏବଂ ଛାତ୍ରଙ୍କ ସ୍ୱାର୍ଥ ପାଇଁ ସେ ଏହି ନିଷ୍ପତ୍ତି ନିଜେ ନେଇଛନ୍ତି । ଏହି ସମୟରେ ବିରୋଧୀ ଦଳ ମକର ଦ୍ୱାରକୁ ଘେରି ଏକାଠି ହୋଇଥିଲେ ଏବଂ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ ।

ଅନ୍ୟପଟେ ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହ, ପୀୟୁଷ ଗୋୟଲ, ଜେପି ନଡ୍ଡା, ଜିତେନ୍ଦ୍ର ସିଂହ, ନିର୍ମଳା ସୀତାରମଣ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କ ଘରକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଜେପି ସଭାପତି ନୀତିନ ନବୀନ ମଧ୍ୟ ଥିଲେ। ସମସ୍ତ ବିଜେପି ନେତା ତାଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ । ନିଟ ପେପର ଲିକ କୁ ନେଇ ଦୀର୍ଘ ୩୫ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ସିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ଆନ୍ଦୋଳନ ସମୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସବୁଠାରୁ ବଡ଼ ପ୍ରସଙ୍ଗ ହୋଇ ରହିଥିଲା । କ୍ରମାଗତ ବର୍ଦ୍ଧିତ ଚାପ ପରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଥିଲେ।

 

Tags: