୯ ଦେଶ ଦେଇ ବିମାନ ଉଡାଣ ବାରଣ କଲା DGCA
ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ର ବଡ଼ ନିଷ୍ପତ୍ତି । ଗୁରୁବାର ବିମାନ କମ୍ପାନୀଗୁଡ଼ିକୁ ୯ଟି ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ମାର୍ଚ୍ଚ ୨୮ ଯାଏଁ ଯାତ୍ରା ନକରିବାକୁ DGCA ନିର୍ଦ୍ଦେଶ ଦେଇଛି । ବାହାରିନ୍, ଇରାନ୍, ଇରାକ୍, ଇସ୍ରାଏଲ, ଜୋର୍ଡାନ, କୁଏତ୍, ଲେବାନନ୍, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଆକାଶମାର୍ଗକୁ ଏଡ଼ାଇବା ପାଇଁ ଡିଜିସିଏ ବିଭିନ୍ନ ବିମାନ କମ୍ପାନୀକୁ କହିଛି। ଆସନ୍ତା ୨୮ ତାରିଖ ଯାଏ ଯାତ୍ରା ନ କରିବାକୁ ଡିଜିସିଏ ପରାମର୍ଶ ଦେଇଛି। ତେବେ ସାଉଦିଆରବ ଏବଂ ଓମାନ ପାଇଁ ଡିଜିସିଏ ସର୍ତ୍ତମୂଳକ ଅନୁମତି ଦେଇଛି। ଏହି ଦୁଇ ଦେଶରେ ୩୨ ହଜାର ଫୁଟ ତଳେ ନ ଉଡିବାକୁ ପରାମର୍ଶ ଦିଆଯାଇଛି ।
ପରାମର୍ଶ ଅନୁଯାୟୀ, ଇରାନ ଉପରେ ସମ୍ପ୍ରତି ଆମେରିକା ଏବଂ ଇସ୍ରାଏଲୀ ସାମରିକ ଆକ୍ରମଣ ବେସାମରିକ ବିମାନ ଚଳାଚଳ ପାଇଁ ଏକ ଉଚ୍ଚ-ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି, ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ ଆଞ୍ଚଳିକ ଆକାଶପଥକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି।



