ଲକ୍ଷ୍ନୌ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ୪ ମାଲିକ ଗିରଫ, ୪ ସରକାରୀ ଅଧିକାରୀ ନିଲମ୍ବିତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗତକାଲି କୋଚିଂ ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ବିଲ୍ଡିଂର ୩ ଜଣ ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମ କୃଷ୍ଣ ଉପାଧ୍ୟାୟ, ବୀରେନ୍ଦ୍ର ପ୍ରସାଦ ଶୁକ୍ଲା, ତୁଷାର କୃଷ୍ଣ ଜୈସୱାଲ ଓ ସୁରେଶ କୁମାର ସାହୁ। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରେ ଅବହେଳା ଯୋଗୁ ୪ ଜଣ ସରକାରୀ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନମଧ୍ୟ କରାଯାଇଛି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜାନକୀପୁରମର ନିର୍ବାହୀ ଯନ୍ତ୍ରୀ ଗୌରବ କୁମାର, ଖାଦ୍ୟ ସୁରକ୍ଷା ଅଧିକାରୀ କମଳେନ୍ଦ୍ର କୁମାର ସିଂ, ସହକାରୀ ଯନ୍ତ୍ରୀ ଅନିଲ କୁମାର ଓ ଜୁନିୟର ଯନ୍ତ୍ରୀ ପ୍ରମୋଦ ପାଣ୍ଡେ ସାମିଲ ଅଛନ୍ତି। ଏହି ସମଗ୍ର ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ୨ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି। କମିଟିକୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଲୀଗଞ୍ଜ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ସମ୍ପୃକ୍ତ ଧାରା ଓ ଅଗ୍ନିଶମ ସେବା ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଦଳର ପ୍ରାଥମିକ ସୂଚନା ଅନୁଯାୟୀ, ବିଲ୍ଡିଂଟି ଆବାସିକ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲେ ହେଁ ସେଠାରେ ବେଆଇନ ଭାବେ ବ୍ୟବସାୟିକ କାର୍ଯ୍ୟକଳାପ ଚାଲିଥିଲା। ବେସମେଣ୍ଟରେ ଥିବା ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ ଲାଗିବା ମାତ୍ରେ ପ୍ରବଳ ଧୂଆଁ ବ୍ୟାପିଯାଇଥିଲା ଏବଂ ବିଲ୍ଡିଂରୁ ବାହାରିବା ପାଇଁ ଜରୁରୀକାଳୀନ ରାସ୍ତା ନଥିବାରୁ ଦ୍ୱିତୀୟ ମହଲାରେ କ୍ଲାସ୍ କରୁଥିବା ଛାତ୍ରଛାତ୍ରୀମାନେ ଭିତରେ ହିଁ ଫସି ରହି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ୧୫ ଜଣଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି।




