ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ କଟକଣାକୁ ଆମେରିକାରେ ତୀବ୍ର ବିରୋଧ

ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ କଟକଣାକୁ ଆମେରିକାରେ ତୀବ୍ର ବିରୋଧ
Samaya Live Desk Picture
Published On

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା  ଶୁଳ୍କ କଟକଣାକୁ ତିନି ଜଣ ଡିମୋକ୍ରାଟିକ୍ ସାଂସଦ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ଆମେରିକାର ପ୍ରତିନିଧି ସଭାର ସଦସ୍ୟ ଡେବୋରା ରସ୍ (ଉତ୍ତର କାରୋଲିନା), ମାର୍କ ବିଜି (ଟେକ୍ସାସ) ଏବଂ ରାଜା କୃଷ୍ଣମୂର୍ତ୍ତି (ଇଲିନୋଇସ୍) ଏକ ପ୍ରସ୍ତାବ ଆଗତ କରି  ଜାତୀୟ ଜରୁରୀକାଳୀନ ଘୋଷଣାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି, ଯାହା ଆଧାରରେ ଟ୍ରମ୍ପ ପ୍ରଶାସନ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଥିଲା। ଏକ ମିଳିତ ବିବୃତ୍ତିରେ, ଡେମୋକ୍ରାଟିକ୍ ସାଂସଦ ଡେବୋରା ରସ୍, ମାର୍କ ବିଜି ଏବଂ ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି ଯେ, ‘ଏହି ଶୁଳ୍କ ବେଆଇନ, ଆମେରିକୀୟ ସ୍ୱାର୍ଥ ବିରୋଧୀ ଏବଂ ସାଧାରଣ ଆମେରିକୀୟ ନାଗରିକଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଉଛି। ଏହା ମୂଳତଃ ଆମେରିକୀୟମାନଙ୍କ ଉପରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଏକ ଅତିରିକ୍ତ ଶୁଳ୍କ। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଅଗଷ୍ଟ ୧, ୨୦୨୫ରେ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ। ଅଗଷ୍ଟ ୨୭, ୨୦୨୫ରେ, ଟ୍ରମ୍ପ ପ୍ରଶାସନ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫% 'ଦ୍ଵିତୀୟ ଶୁଳ୍କ' ଘୋଷଣା କରିଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁକ୍ତି ଦେଇଥିଲେ ଯେ, ଭାରତ ଏବେ ବି ରୁଷୀୟ ତେଲ କିଣୁଛି। ଏଭଳି କରି ୟୁକ୍ରେନ ସହ ଯୁଦ୍ଧ କରିବାକୁ ଭାରତ ରୁଷକୁ ପାଣ୍ଠି ଯୋଗାଇ ଦେଉଛି ବୋଲି ଟ୍ରମ୍ପ ଦାବି କରିଥିଲେ। 

Tags: