୩ ଦିନ ଯାଏଁ ଭୀଷଣ ଗ୍ରୀଷ୍ମପ୍ରବାହ, ୪୬ ଡିଗ୍ରି ତାପମାତ୍ରାରେ ଜଳୁଛି ଦିଲ୍ଲୀ
ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଏବେ ଗ୍ରୀଷ୍ମ ଲହରୀ ସ୍ଥିତି ଜାରି ରହିଛି। ଦିଲ୍ଲୀ -ଏନ୍ସିଆର୍ରେ ଆଜି ତାପମାତ୍ରା ୪୬ ଡିଗ୍ରି ଛୁଇଁଛି। ଏହା ପୂର୍ବରୁ ପାଣିପାଗ ବିଭାଗ (ଆଇଏମ୍ଡି) ସତର୍କ କରାଇ ଦେଇଛି ଯେ ବୁଧବାର ଦିଲ୍ଲୀରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରି ସେଲସିୟସ୍ ଛୁଇଁବ। ଆଇଏମ୍ଡି ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ସପ୍ତାହ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି। ତେବେ ଅପରାହ୍ଣ ଓ ସନ୍ଧ୍ୟା ସମୟରେ ପ୍ରବଳ ଗରମ ପବନ ବହିବାର ସମ୍ଭାବନା ରହିଛି। ଦିଲ୍ଲୀ ସଫଦରଜଙ୍ଗ ପର୍ଯ୍ୟବେକ୍ଷଣାଗାରରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ରିଜ୍ ଷ୍ଟେସନରେ ୪୬.୫ ଡିଗ୍ରି, ଆୟାନଗରରେ ୪୫.୫ ଡିଗ୍ରି ଓ ଲୋଧି ରୋଡରେ ତାପମାତ୍ରା ୪୫.୨ ଡିଗ୍ରି ରହିଥିଲା। ତାପମାତ୍ରା ବୃଦ୍ଧି ଯୋଗୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାକଙ୍କ (ଏକ୍ୟୁଆଇ) ମଙ୍ଗଳବାର ଅପରାହ୍ଣ ୪ଟାରେ ୨୦୮ରେ ପହଞ୍ଚି ଥିଲା। ଏପ୍ରିଲ ୨୮ ତାରିଖ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଗତକାଲି ସବୁଠୁ ଖରାପ ରହିଥିଲା। ମଙ୍ଗଳବାର ଦିଲ୍ଲୀ ବର୍ଷର ଚତୁର୍ଥ ଉଷ୍ଣ ଦିନ ଥିଲା। ଦିଲ୍ଲୀ ବ୍ୟତୀତ ମଧ୍ୟପ୍ରଦେଶ, ପୂର୍ବ ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ମଙ୍ଗଳବାର ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ସ୍ଥିତ ବାନ୍ଦା ଜିଲ୍ଲାରେ ୪୮.୨ ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଥିବାବେଳେ ଏହା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇ ରହିଛି। ଏହି ଉଚ୍ଚ ତାପମାତ୍ରା କେବଳ ୭୫ ବର୍ଷର ରେକର୍ଡ ଭାଙ୍ଗିନାହିଁ ବରଂ ବାନ୍ଦାକୁ ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନମାନଙ୍କ ତାଲିକାରେ ସାମିଲ କରିଛି।



