ପଶ୍ଚିମା ଜଳବାୟୁ ପ୍ରଭାବ , ମାର୍ଚ୍ଚ ମାସରେ ଦିଲ୍ଲୀରେ ଶୀତ
୫ ମାସ ପରେ ଏକ୍ୟୁଆଇ ସନ୍ତୋଷଜନକ
ନୂଆଦିଲ୍ଲୀ, ୨୦/୩ : ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ଏକ ବିଶାଳ ୧ ହଜାର କିଲୋମିଟର ଲମ୍ବା ବର୍ଷା ବଳୟ ବା ‘ରେନ୍ ବ୍ୟାଣ୍ଡ୍’ ଯୋଗୁ ଶୁକ୍ରବାର ସକାଳୁ ଦିଲ୍ଲୀ ବାସୀ ପ୍ରବଳ ବର୍ଷା ଏବଂ ଶୀତ ଲହର ସାମ୍ନା କରିଛନ୍ତି। ଏହି ବିରଳ ପାଣିପାଗ ପରିବର୍ତ୍ତନ ଯୋଗୁ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ସେଲସିୟସକୁ ଖସି ଆସିଛି। ତାପମାତ୍ରା କମିଯିବା ସହ ବାୟୁମାନରେ ମଧ୍ୟ ସୁଧାର ଆସିଛି। ସହରର ମୁଖ୍ୟ ପାଣିପାଗ ଷ୍ଟେସନ୍ ସଫଦରଜଙ୍ଗରେ ସର୍ବାଧିକ ତାପମାତ୍ରା ଶୁକ୍ରବାର ୨୧.୭ ଡିଗ୍ରି ରହିଛି। ଏହା ଚଳିତ ଋତୁର ହାରାହାରି ତାପମାତ୍ରାଠାରୁ ପ୍ରାୟ ୧୦ ଡିଗ୍ରି କମ୍। ତେବେ ୨୦୨୦ ମାର୍ଚ୍ଚ ୮ ପରେ ପ୍ରଥମ ଥର ପାଇଁ ଦିଲ୍ଲୀର ଦିନ ତାପମାତ୍ରା ସବୁଠାରୁ କମ୍ ରହିଛି। ୨୦୨୦ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀ ତାପମାତ୍ରା ଥିଲା ୨୧.୨ ଡିଗ୍ରି ସେଲସିୟସ୍। ସହରର ଅନ୍ୟ ଅଂଶରେ ମଧ୍ୟ ଏହି ସମାନ ସ୍ଥିତି ରହିଛି।
ଗତ କିଛିଦିନ ହେବ ଦିଲ୍ଲୀରେ ବର୍ଷା ଲାଗି ରହିଥିବା ଆଜି ହଠାତ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଆଜି ଦିନରେ ଦିଲ୍ଲୀରେ ପାଖାପାଖି ୭ ମିମି ବର୍ଷା ରେକର୍ଡ ହୋଇଛି ଏବଂ ମାର୍ଚ୍ଚ ମାସରେ ଏଯାବତ ମୋଟ୍ ୧୬.୨ ମିମି ବର୍ଷା ରେକର୍ଡ କରାଗଲାଣି। ଯାହା ଫଳରେ ଗତ ୩ ବର୍ଷ ମଧ୍ୟରେ ଚଳିତ ମାର୍ଚ୍ଚରେ ସବୁଠାରୁ ଅଧିକ ବର୍ଷା ହୋଇଛି। ଶୁକ୍ରବାର ସକାଳ ଠାରୁ ପୂର୍ବ ୨୪ ଘଣ୍ଟାରେ ଦିଲ୍ଲୀରେ ବିଭିନ୍ନ ପାଣିପାଗ କେନ୍ଦ୍ରରେ ୫.୪ ମିମିରୁ ୭.୪୪ ମିିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ତାପମାତ୍ରା କମିବା ସହ ଦିଲ୍ଲୀରେ ବାୟୁର ମାନରେ ମଧ୍ୟ ସୁଧାର ଆସିଛି। ଦିଲ୍ଲୀ ଏକ୍ୟୁଆଇ ଶୁକ୍ରବାର ୯୩ ରହିଛି ଯାହା ‘ ସନ୍ତୋଷଜନକ ଶ୍ରେଣୀ’ରେ ରହିଛି।
Tags:



