ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ ବେଳେ ଦିଲ୍ଲୀ-ହିମାଚଳ ପୁଲିସ ମୁହାଁମୁହିଁ
By: Samaya Live Desk
ସିମ୍ଲା: ନୂଆଦିଲ୍ଲୀର ଏଆଇ ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀମାନେ ଅର୍ଦ୍ଧନଗ୍ନ ବିକ୍ଷୋଭ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେବା ଘଟଣାକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ଏହି ଘଟଣା ପରେ ହିମାଚଳ ପ୍ରଦେଶ ଚାଲି ଯାଇଥିବା ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିବାକୁ ଦିଲ୍ଲୀ ପୁଲିସର ୨୦ ଜଣିଆ ଟିମ୍ ସେଠାରେ ପହଞ୍ଚିଥିବାବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଦିଲ୍ଲୀ ପୁଲିସ ତିନି ଯୁବ କଂଗ୍ରେସ କର୍ମୀ ଉତ୍ତର ପ୍ରଦେଶର ସୌରଭ ସିଂହ ଓ ଅର୍ବାଜ ଖାନ୍ ଏବଂ ମଧ୍ୟ ପ୍ରଦେଶର ସିଦ୍ଧାର୍ଥ ଅବଧୂତଙ୍କୁ ଗିରଫ କରିବାକୁ ସିମ୍ଲା ଜିଲ୍ଲାର ରୋହରୁଠାରେ ପହଞ୍ଚି ଥିଲା। କିନ୍ତୁ ସିମ୍ଲା ପୁଲିସ ଏଥିରେ ପ୍ରତିବାଦ କରିବା ସହିତ ଦିଲ୍ଲୀ ପୁଲିସ ବିରୋଧରେ ଅପହରଣ ମାମଲା ରୁଜୁ କରିବା ସହିତ ୫ ଘଣ୍ଟା ଧରି ଅଟକ ରଖିଥିଲା। ଶେଷରେ ଗୁରୁବାର ସକାଳ ୫ ଟା ୫୫ ମିନିଟରେ ଦିଲ୍ଲୀ ପୁଲିସ ୩ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ଦିଲ୍ଲୀ ଫେରିଥିଲା। ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ ବୁଧବାର ସକାଳ ୫ଟା ୩୦ ମିନିଟରେ ରୋହରୁ ଏହି ତିନି କଂଗ୍ରେସ କର୍ମୀଙ୍କୁ ଗିରଫ କରି ଦିଲ୍ଲୀ ଅଭିମୁଖେ ଆସୁଥିଲା। ଏହି ସମୟରେ ହିମାଚଳ ପ୍ରଦେଶ ପୁଲିସ ସୋଲନ ଜିଲ୍ଲାର ଧରମପୁରଠାରେ ଦିଲ୍ଲୀ ପୁଲିସକୁ ଅଟକାଇଥିଲା। ହିମାଚଳ ପୁଲିସ ଦିଲ୍ଲୀ ପୁଲିସ ଟିମ୍ ସହିତ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଅଟକ ରଖିଥିଲା। ଦିଲ୍ଲୀ ପୁଲିସର ଗାଡ଼ି ମଧ୍ୟ ଜବତ କରିଥିଲା। ହିମାଚଳ ପୁଲିସ ଦିଲ୍ଲୀ ପୁଲିସ ନାଁରେ ଅପହରଣ, ବେଆଇନ ଭାବେ ସମାବେଶ ପରି ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା। ଦିଲ୍ଲୀ ପୁଲିସ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସମୟରେ ଟ୍ରାଞ୍ଜିଟ୍ ରିମାଣ୍ଡ ସମେତ ଆନ୍ତଃରାଜ୍ୟ ଗିରଫ ପ୍ରୋଟୋକଲ ଅନୁସରଣ କରିନଥିବା ହିମାଚଳ ପ୍ରଦେଶ ପୁଲିସ ଅଭିଯୋଗ କରିଥିଲା।
Tags:



