ତ୍ରିରଙ୍ଗା ଯାତ୍ରା ପୂର୍ବରୁ ସିଜେପି ମୁଖ୍ୟ ଅଭିଜିତ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : କକ୍ରୋଚ୍ ଜନତା ପାର୍ଟି (ସିଜେପି)ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଘରେ ଆଜି ଦିଲ୍ଲୀ ପୋଲିସ ଟିମ୍ ପହଞ୍ଚିଛନ୍ତି। ସନ୍ଧ୍ୟା ୫ଟାରେ ସିଜେପିର କନ୍ନଟ ପ୍ଲେସ୍ ସେଣ୍ଟ୍ରାଲ ପାର୍କରେ ‘ଲେହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଦିଲ୍ଲୀ ପୁଲିସ ଟିମ୍ ଦୀପ୍କେଙ୍କ ଘରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁଯରୟୀ ଅନେକ ମହିଳା ପୋଲିସ କର୍ମଚାରୀଙ୍କ ସମେତ ଏକ ଡଜନରୁ ଅଧିକ ପୋଲିସ ଅଧିକାରୀ ଦୀପକେଙ୍କ ଘରେ ପହଞ୍ଚିଥିଲେ। ରିପୋର୍ଟ ଅନୁସାରେ, ଦୀପକେଙ୍କୁ ଦିଲ୍ଲୀ ପୋଲିସ ଆଇନର ଧାରା ୨୯ ଅନୁଯାୟୀ ଏକ ନୋଟିସ୍ ଦିଆଯାଇଥିଲା। ଏହି ଧାରା ସାଧାରଣ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଜାରି କରିବାର ଅଧିକାର ଦିଏ। ତେବେ, ଏହି ଧାରା ଅନୁଯାୟୀ ପୋଲିସ ସବୁ ପ୍ରକାରର ପ୍ରତିବାଦକୁ ବିନା ସର୍ତ୍ତରେ ନିଷିଦ୍ଧ କରିପାରିବ ବୋଲି ଆଇନରେ କୁହାଯାଇନାହିଁ। ଦୀପକେଙ୍କୁ ଗିରଫ କରାଯାଇଛି କିମ୍ବା ଗୃହବନ୍ଦୀ କରାଯାଇଛି କି ନାହିଁ, ସେ ସମ୍ପର୍କରେ ଦିଲ୍ଲୀ ପୋଲିସ କୌଣସି ବିବୃତ୍ତି ଜାରି କରିନି। ଉଲ୍ଲେଖଯୋଗ୍ୟ ଦୀପକେ ଶୁକ୍ରବାର ଅପରାହ୍ନ ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍ ସ୍ଥିତ ସେଣ୍ଟ୍ରାଲ୍ ପାର୍କରେ ଜାତୀୟ ପତାକା ଧରି ଏକାଠି ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ ସିାଜପି ନେତା ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଜନ୍ତରମନ୍ତରରେ ଅନଧିକୃତ ଭାବେ ପ୍ରବେଶ କରି ତ୍ରିରଙ୍ଗା ଉତ୍ତୋଳନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନଙ୍କୁ ବୁଧବାର ପାଞ୍ଚ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ମୁମ୍ବାଇରୁ ଦିଲ୍ଲୀ ଆସିବା ପରେ ଦୀପକେ ଅଭିଯୋଗ କରିଥିଲେ ଯେ ବିନା ନମ୍ବର ପ୍ଲେଟ୍ର ଗାଡ଼ିଗୁଡ଼ିକ ତାଙ୍କୁ ପିଛା କରୁଛନ୍ତି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ କର୍ମଚାରୀମାନେ ତାଙ୍କ ବାସଭବନ ଉପରେ ନଜର ରଖିଛନ୍ତି।




