ଉମର ଖାଲିଦଙ୍କ ଜାମିନ ଆବେଦନ ଉପରେ ଜବାବ ରଖିବାକୁ ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ ବୃହତ୍ ଷଡଯନ୍ତ୍ର ମାମଲାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ୟୁଏପିଏ ଅନୁଯାୟୀ ଗିରଫ ହୋଇଥିବା କାର୍ଯ୍ୟକର୍ତ୍ତା ଉମର ଖାଲିଦଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ଜବାବ ଦାଖଲ କରିବାକୁ କହିଛନ୍ତି। ବିଚାରପତି ପ୍ରତିଭା ଏମ୍. ସିଂହ ଏବଂ ବିଚାରପତି ବିକାଶ ମହାଜନଙ୍କ ଖଣ୍ଡପୀଠ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଉମର ଖାଲିଦଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ ହେବ। ସେହି ଦିନ ସହ-ଅଭିଯୁକ୍ତ ଶରଜିଲ ଇମାମଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ। ଅଉମର ଖାଲିଦଙ୍କ ଓକିଲ ଅଦାଲତକୁ କହିଥିଲେ ଯେ, ଗିରଫ ହେବା ପରଠାରୁ ଏହା ତାଙ୍କର ତୃତୀୟ ଜାମିନ ଆବେଦନ। ସେ ଏହି ମାମଲାରେ ଅନ୍ତରୀଣ ଜାମିନ ମଧ୍ୟ ଆବେଦନ କରିଛନ୍ତି। ଉମର ଖାଲିଦ ଜୁଲାଇ ୪ରେ ଟ୍ରାଏଲ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଖାରଜ କରାଯାଇଥିବା ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀ ପୁଲିସ ପକ୍ଷରୁ ହାଜର ଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍. ଭି. ରାଜୁ କହିଥିଲେ ଯେ, ଶରଜିଲ ଇମାମଙ୍କ ଜାମିନ ଆବେଦନ ମଧ୍ୟ ସେହି ଟ୍ରାଏଲ କୋର୍ଟଙ୍କ ଆଦେଶ ଦ୍ୱାରା ଖାରଜ ହୋଇଥିଲା। ତେଣୁ ଉଭୟ ମାମଲାର ଶୁଣାଣି ଏକାସାଙ୍ଗରେ କରାଯାଇପାରିି। ଉମର ଖାଲିଦଙ୍କୁ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ଅଭିଯୋଗ ରହିଛି ଯେ, ଫେବୃଆରୀ ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗାର ସେ ଅନ୍ୟତମ ପ୍ରମୁଖ ଷଡଯନ୍ତ୍ରକାରୀ ଥିଲେ। ଏହି ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।




