ନିଟ୍ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ବନ୍ଦ କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ନିକଟରେ ଜନ୍ତରମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ସହ ଜଡ଼ିତ ମାମଲା ବନ୍ଦ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ସମସ୍ତଙ୍କ ପାଇଁ ଲାଗୁ ନୁହେଁ। ଯେଉଁମାନଙ୍କର ପୂର୍ବରୁ ଆପରାଧିକ ରେକର୍ଡ ରହିଛି କିମ୍ବା ଯେଉଁମାନେ ହିଂସା, ଭଙ୍ଗାରୁଜା ଅଥବା ଅନ୍ୟ ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଦିଲ୍ଲୀ ପୁଲିସ ଏହି ଆନ୍ଦୋଳନକୁ ନେଇ ମୋଟ ୧୩ଟି ମାମଲା ରୁଜୁ କରିଥିଲା। ବର୍ତ୍ତମାନ ସରକାର ପୁଲିସକୁ ସମସ୍ତ ଗିରଫ ଓ ଅଟକ ଘଟଣାର ତୁରନ୍ତ ସମୀକ୍ଷା କରିବାକୁ କହିଛନ୍ତି। ଯେଉଁ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ ଏବଂ ଯେଉଁମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହୋଇଥିଲେ, ସେମାନଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନ ନେବାକୁ ସରକାର ସ୍ପଷ୍ଟ କରିଛନ୍ତି। ଗତ ୨୮ ଜୁଲାଇରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କ ଖଣ୍ଡପୀଠ ନିଟ୍ ଆନ୍ଦୋଳନ ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ, ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ଏବଂ କୌଣସି ଆପରାଧିକ ପୃଷ୍ଠଭୂମି ନ ଥିବା ଆନ୍ଦୋଳନକାରୀଙ୍କୁ ମୁକ୍ତ କରାଯିବ। ସେହିପରି ତଦନ୍ତ ଚାଲିପାରିବ, କିନ୍ତୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ ଏବେ କୌଣସି ପଦକ୍ଷେପ ନିଆଯିବ ନାହିଁ। ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ସୁରକ୍ଷା କୌଣସି ଅସାମାଜିକ କିମ୍ବାୟ ଆପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।




