ବିଷାକ୍ତ ବାୟୁରେ ଅଣନିଃଶ୍ୱାସୀ ଦିଲ୍ଲୀ, ଡବ୍ଲୁଏଚ୍ଓ ସୁରକ୍ଷା ସୀମାଠାରୁ ୨୦ ଗୁଣ ଅଧିକ ପିଏମ୍ ୨.୫
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ ସମସ୍ୟା। ବିଷାକ୍ତ ଧୂଆଁ ଓ ଧୂଳିର ଚାଦରରେ ଘୋଡ଼ାଇ ହୋଇଯାଇଛି ସମଗ୍ର ସହର। ବିଶେଷକରି ବାୟୁରେ ଅତି ସୂକ୍ଷ୍ମ ଧୂଳିକଣା ପିଏମ୍ ୨.୫ର ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ସୁରକ୍ଷିତ ସୀମାଠାରୁ ପ୍ରାୟ ୨୦ ଗୁଣ ଅଧିକ ରହିଛି। ଏହା ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି।
ଏକ୍ୟୁଆଇ ଡଟ୍ ଇନ୍ ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ୯ଟା ୩୦ ସୁଦ୍ଧା ଦିଲ୍ଲୀରେ ପିଏମ୍୨.୫ର ମାତ୍ରା ଘନମିଟର ପ୍ରତି ୨୯୬ ମାଇକ୍ରୋଗ୍ରାମ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ସାଂଘାତିକ’ ଶ୍ରେଣୀରେ ପହଞ୍ଚିଛି। କେତେକ ଅଞ୍ଚଳରେ ଏକ୍ୟୁଆଇ ୫୦୦ ନିକଟତର ହୋଇଛି।
ପିଏମ୍ ୨.୫ ହେଉଛି ୨.୫ ମାଇକ୍ରୋମିଟର ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ଅତି ସୂକ୍ଷ୍ମ ବାୟୁବାହିତ କଣିକା। ଏହା ମଣିଷର କେଶଠାରୁ ପ୍ରାୟ ୩୦ ଗୁଣ ପତଳା। ବଡ଼ ଧୂଳିକଣା ନାକ ଓ ଗଳାରେ ଅଟକି ଯାଉଥିବାବେଳେ ପିଏମ୍୨.୫ ଫୁସ୍ଫୁସ୍ର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିପାରେ। ଏପରିକି ଏହା ରକ୍ତ ପ୍ରବାହରେ ମିଶି ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।ଏହି ସୂକ୍ଷ୍ମ କଣିକା ଶ୍ୱାସନଳୀରେ ଜ୍ୱଳନ ସୃଷ୍ଟି କରିବା ସହ ଆଜ୍ମା ଓ ଅନ୍ୟ ଶ୍ୱାସଜନିତ ରୋଗକୁ ଅଧିକ ଗୁରୁତର କରିଥାଏ। ଏହାଦ୍ୱାରା ହୃଦ୍ରୋଗ, ଫୁସ୍ଫୁସ୍ ରୋଗ, ଷ୍ଟ୍ରୋକ୍ ଏବଂ ଫୁସ୍ଫୁସ୍ କର୍କଟ ଆଶଙ୍କା ମଧ୍ୟ ବଢ଼ିଥାଏ। ଦୀର୍ଘଦିନ ଧରି ଏଭଳି ପ୍ରଦୂଷିତ ବାୟୁରେ ରହିବା ଅକାଳ ମୃତ୍ୟୁର କାରଣ ହୋଇପାରେ। ଡବ୍ଲ୍ୟୁଏଚ୍ଓର ସୁପାରିସ ଅନୁଯାୟୀ, ୨୪ ଘଣ୍ଟାର ହାରାହାରି ପିଏମ୍୨.୫ ମାତ୍ରା ଘନମିଟର ପ୍ରତି ୧୫ ମାଇକ୍ରୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। କିନ୍ତୁ ଦିଲ୍ଲୀରେ ଏହା ୨୯୬ ରହିବା ଚିନ୍ତାଜନକ। ତେବେ ଏଠାରେ ଗୋଟିଏ କଥା ଉଲ୍ଲେଖନୀୟ ଯେ, ଏହା ତତ୍କାଳୀନ ମାପକୁ ‘ହୁ’ର ୨୪ ଘଣ୍ଟିଆ ହାରାହାରି ସୀମା ସହ ତୁଳନା କରାଯାଇଛି। ପଞ୍ଜାବ ଓ ହରିୟାଣାରେ ଫସଲ ଅବଶେଷ ପୋଡ଼ିବା ଯୋଗୁଁ ବାହାରୁଥିବା ଧୂଆଁ ଦିଲ୍ଲୀର ପ୍ରଦୂଷଣକୁ ଆହୁରି ବଢ଼ାଉଛି। ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ପବନ ଏହି ଧୂଆଁକୁ ରାଜଧାନୀ ଆଡ଼କୁ ନେଇ ଆସୁଛି। ଅନ୍ୟପଟେ ଭୂପୃଷ୍ଠ ନିକଟରେ ପବନର ବେଗ କମ୍ ଥିବାରୁ ପ୍ରଦୂଷିତ କଣିକାଗୁଡ଼ିକ ସହଜରେ ବାୟୁମଣ୍ଡଳରୁ ଦୂରେଇ ପାରୁନାହାନ୍ତି।
Tags:




