ଦିଲ୍ଲୀ ସୀମାରୁ ୯ ଦିନରେ ଫେରିଲା ୧୬,୮୨୭ ଗାଡ଼ି; ପ୍ରଦୂଷଣ ରୋକିବାକୁ କଡ଼ା ଯାଞ୍ଚ
ନୂଆଦିଲ୍ଲୀ: ଶୀତ ଆରମ୍ଭ ସହ ଦିଲ୍ଲୀର ବାୟୁ ପ୍ରଦୂଷଣ ଚିନ୍ତା ବଢ଼ିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଯାନବାହନ ଚଳାଚଳ ଉପରେ କଟକଣା କଡ଼ାକଡ଼ି କରିଛନ୍ତି ସରକାର। ଏହାର ପ୍ରଭାବରେ ନଭେମ୍ବର ୧ରୁ ୯ ତାରିଖ ମଧ୍ୟରେ ଦିଲ୍ଲୀ ସୀମାରୁ ୧୬ ହଜାର ୮୨୭ଟି ଯାନବାହନକୁ ଫେରାଇ ଦିଆଯାଇଛି। ଏଗୁଡ଼ିକ ମଧ୍ୟରେ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ ବିଏସ୍-୬ ନିର୍ଗମନ ମାନଦଣ୍ଡ ପୂରଣ କରୁନଥିବା ଯାନ ରହିଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସର ତଥ୍ୟ ଅନୁସାରେ, ନଭେମ୍ବର ୧ରୁ ୯ ତାରିଖ ମଧ୍ୟରେ ମୋଟ ୩୭,୮୭୭ଟି ଗାଡ଼ି ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୬,୮୨୭ଟିକୁ ଫେରାଇ ଦିଆଯାଇଥିବାବେଳେ ୬୯୬ଟି ଗାଡ଼ିକୁ ନିୟମ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଛି। ଯାଞ୍ଚରେ ନିୟମ ପୂରଣ କରୁଥିବା ଗାଡ଼ିଗୁଡ଼ିକୁ ପ୍ରବେଶ ଅନୁମତି ମିଳିଛି। ସୋମବାର ଦିନକରେ ୭,୫୫୧ଟି ଗାଡ଼ି ଯାଞ୍ଚ ହୋଇଥିବାବେଳେ ୧,୦୯୯ଟିକୁ ସୀମାରୁ ଫେରାଇ ଦିଆଯାଇଥିଲା। ଏଥିସହ ୩୨ଟି ଗାଡ଼ି ବିରୋଧରେ ଚାଲାଣ କଟାଯାଇଥିଲା। ଫେରାଇ ଦିଆଯାଇଥିବା ଗାଡ଼ି ମଧ୍ୟରେ ୬୩୭ଟି ଦିଲ୍ଲୀ ଅଭିମୁଖୀ ନଥିବା ଯାନ, ୧୭୨ଟି ଭାରୀ ଓ ମଧ୍ୟମ ମାଲବାହୀ ଗାଡ଼ି, ୧୫୬ଟି ହାଲୁକା ବାଣିଜ୍ୟିକ ଯାନ, ୮୪ଟି କାର୍ ଏବଂ ୪୭ଟି ଦୁଇଚକିଆ ଯାନ ରହିଛି। ନଅ ଦିନରେ ନିୟମ ଉଲ୍ଲଂଘନ କରିଥିବା ୬୯୬ଟି ଗାଡ଼ି ଉପରେ ମୋଟ ୧ କୋଟି ୩୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଓ ପରିବେଶ କ୍ଷତିପୂରଣ ଲାଗୁ ହୋଇଛି। ଏଥିରେ ୩୮୨ଟି କାର୍ ପାଇଁ ୭୬.୪୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ଦୁଇଚକିଆ ଯାନ ପାଇଁ ୧୩୮ଟି, ଭାରୀ ଓ ମଧ୍ୟମ ମାଲବାହୀ ଯାନ ପାଇଁ ୯୭ଟି ଏବଂ ହାଲୁକା ମାଲବାହୀ ଯାନ ପାଇଁ ୭୬ଟି ଚାଲାଣ କଟାଯାଇଛି। ଅନ୍ୟପକ୍ଷରେ, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥାଇ ଗାଡ଼ି ଚଳାଉଥିବା ୯୮୭ ଜଣଙ୍କୁ ସୋମବାର ଧରାଯାଇ ଜରିମାନା କରାଯାଇଛି। ଏହାକୁ ମିଶାଇ ଚଳିତ ବର୍ଷ ଏପର୍ଯ୍ୟନ୍ତ ୭,୫୦୨ଟି ଗାଡ଼ି ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରୁ ମୋଟ ୭.୫୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ, ପରିବହନ ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗ ଏବଂ ଦିଲ୍ଲୀ ନଗର ନିଗମର ମିଳିତ ଟିମ୍ ଏହି ଯାଞ୍ଚ ଅଭିଯାନ ଚଳାଇଛନ୍ତି। ଉତ୍ତରପ୍ରଦେଶ ଓ ହରିୟାଣା ସହ ଦିଲ୍ଲୀର ୨୬ଟି ପ୍ରମୁଖ ସୀମାରେ ଟିମ୍ ମୁତୟନ ହୋଇଛନ୍ତି। ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ ବିଏସ୍-୬ ମାନଦଣ୍ଡ ପୂରଣ କରୁନଥିବା ଯାନବାହନର ପ୍ରବେଶ ଉପରେ ଏହି କଟକଣା ଲାଗୁ ରହିବ।




