ଆନ୍ଧ୍ରପ୍ରଦେଶରେ କାୟା ମେଲାଉଛି କରୋନା, ୨ ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର : ପୁଣି ମୁଣ୍ଡ ଟକିଲାଣି କରୋନା । ପଡୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ରାଜ୍ୟରେ କୋଭିଡ ସତର୍କତା କଡାକଡି କରାଯାଇଛି । କରୋନାରେ ଆନ୍ଧ୍ରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ସମେତ ଦୁଇଜଣଙ୍କର କୋଭିଡ୍-୧୯ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ CDMOମାନଙ୍କୁ ସତର୍କ ରହିବା ସହ ସନ୍ଦିଗ୍ଧ କରୋନା ରୋଗୀଙ୍କର ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କରୋନା ନମୁନା ପରୀକ୍ଷାର ବ୍ୟବସ୍ଥା କରାଯିବ ।
ସେହିପରି ରାଜ୍ୟରେ କୋଭିଡ୍ ସତର୍କତା ବ୍ୟବସ୍ଥା ଜାରି ରହିଥିବା ସହ ନିୟମିତ ଭାବେ ଟେଷ୍ଟିଂ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି । ଲକ୍ଷଣ ଥିବା ଲୋକଙ୍କ ଉପରେ ବିଶେଷ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୀମାନ୍ତ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ ନଜର ରଖାଯାଉଛି । କରୋନାର ନୂଆ ସଂକ୍ରମଣକୁ ନେଇ ଲୋକଙ୍କୁ ସଚେତନ ରହିବା ସହ ସ୍ୱାସ୍ଥ୍ୟ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ରଥଯାତ୍ରା ଥିବାରୁ ସତର୍କତାକୁ ଅଧିକ ଗୁରୁତ୍ୱ ଦେଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।




