ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ମହିଳା ସାଂସଦ

ଶାସକ ଦଳ ନିର୍ଦ୍ଦେଶରେ ସେମାନଙ୍କ ନାଁରେ ମିଥ୍ୟା ଅଭିଯୋଗ ଅଣାଯାଇଛି

ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ମହିଳା ସାଂସଦ
Samaya Live Desk Picture
Published On

ନୂଆଦିଲ୍ଲୀ:  କଂଗ୍ରେସ ଦଳର ମହିଳା ସାଂସଦମାନେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ତୀବ୍ର ସମାଲୋଚନା କରି ଚିଠି ଲେଖିଛନ୍ତି। ଓମ୍‌ ବିର୍ଲା ସେମାନଙ୍କ ବିରୋଧରେ ମିଥ୍ୟା ତଥା ମାନହାନି ହେବା ପରି ଅଭିଯୋଗ ଆଣିଥିବା କଂଗ୍ରେସର ମହିଳା ସାଂସଦମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ରା‌ଷ୍ଟ୍ରପତିଙ୍କ ଅଭିଭାଷଣ ଉପ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଧନ୍ୟବାଦ ଦେଇଥାନ୍ତେ। କିନ୍ତୁ ସେ ଲୋକସଭାରେ ନିଜ ଭାଷଣ ରଖିବା‌ ପରିବେର୍ତ୍ତ ରାଜ୍ୟସଭାରେ ଭାଷଣ ରଖିଥିଲେ। ବାଚସ୍ପତି ଓମ୍‌ ବିର୍ଲା ସର୍ବସାଧାରଣରେ କହିଥିଲେ ଯେ, ସେହିଦିନ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରେ କଂଗ୍ରେସ ସାଂସଦମାନେ ଅପ୍ରୀତିକର ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରି ସେ ମୋଦୀଙ୍କୁ ଗୃହକୁ ନ ଆସିବାକୁ ପରାମର୍ଶ ଦେଇଥିଲେ। ବିର୍ଲାଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ ଏସ୍ ଜ୍ୟୋତିମଣି ଓ ମହିଳା ସାଂସଦମାନେ ବିର୍ଲାଙ୍କୁ ତିନି ପୃଷ୍ଠାର ଏକ ଚିଠି ଲେଖି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ ସଂସଦରେ କହିବାକୁ ନଦେଇ ଏଥିରୁ ବିଚ୍ୟୁତ ହେବାର ଏହା ଏକ ପ୍ରୟାସ ବୋଲି ସେମାନେ କହିଛନ୍ତି। ସେମାନେ ଚିଠିରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଲୋକସଭାର ବାଚସ୍ପତି ଭାବରେ ଆପଣଙ୍କୁ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ମହିଳା ସାଂସଦ ସଦସ୍ୟଙ୍କ ବିରୋଧରେ ମିଥ୍ୟା, ଭିତ୍ତିହୀନ ଏବଂ ମାନହାନିଜନକ ଅଭିଯୋଗ ଆଣିବାକୁ ବାଧ୍ୟ କରାଯାଉଛି। ସେମାନେ ଚିଠିରେ ଆହୁରି ଲେଖିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟ କହିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଥାନ୍ତେ। କିନ୍ତୁ ୪ ଦିନ ଧରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବାକୁ ଦିଆଯାଇନଥିଲା। ଏହା ଆଶ୍ଚର୍ଯ୍ୟଜନକ ଓ ଅଗ୍ରହଣନୀୟ। ବାଚସ୍ପତି ସ୍ବାଧୀନ ଭାବେ କାର୍ଯ୍ୟ କରିବା ଅପେକ୍ଷା ଶାସକ ଦଳ ନିର୍ଦ୍ଦେଶରେ କାମ କରୁଛନ୍ତି। ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଘେରଉ କରିବାକୁ ଚାହୁଥିଲେ ବୋଲି ବିର୍ଲାଙ୍କ ଅଭିଯୋଗ ସେମାନଙ୍କ ମର୍ଯ୍ୟାଦା ଏବଂ ବିଶ୍ୱସନୀୟତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି।  

Tags: