ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦକୁ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ସମାଲୋଚନା
ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସ ପକ୍ଷରୁ କରାଯାଇଥିବା ଆକସ୍ମିକ ପ୍ରତିବାଦକୁ କଡ଼ା ସମାଲୋଚନା କରିଛନ୍ତି। ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଘର ସାମ୍ନାରେ ପ୍ରତିବାଦ କରିବା ପରିବର୍ତ୍ତେ ଜନ୍ତର ମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଯୋଗ ଦେବା ଉଚିତ୍ ଥିଲା। ଗୀତାଞ୍ଜଳି ଆଙ୍ଗମୋ, ଯିଏ ସୋନମ ୱାଙ୍ଗଚୁକଙ୍କ ଅନଶନ ସମୟରେ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଅଭିଯାନର ନେତୃତ୍ୱ ନେଉଛନ୍ତି, କହିଛନ୍ତି ଯେ କଂଗ୍ରେସର ଜୁଲାଇ ୨୧ର ପ୍ରତିବାଦ ନିଷ୍ଠାପର ନଥିଲା। ତାଙ୍କ ମତରେ, କିଛି ରାଜନେତା ବର୍ତ୍ତମାନ ସୋନମ ୱାଙ୍ଗଚୁକ ଓ ତାଙ୍କର ଲୋକପ୍ରିୟତାକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ସାଧାରଣ ଲୋକଙ୍କୁ ଆଉ ବିଭ୍ରାନ୍ତ କରାଯାଇପାରିବ ନାହିଁ। ଗତ ସପ୍ତାହରେ ୱାଙ୍ଗଚୁକଙ୍କୁ ଜନ୍ତର ମନ୍ତରରୁ ହଟାଯାଇଥିଲେ ମଧ୍ୟ ସେ ହସ୍ପିଟାଲରୁ ନିଜର ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଜାରି ରଖିଛନ୍ତି। ଗୁରୁବାର ତାଙ୍କ ଅନଶନର ୨୬ତମ ଦିନ ଥିଲା।ଆଙ୍ଗମୋ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ହୋଇଥିବା ପ୍ରତିବାଦରେ ଆନ୍ତରିକତାର ଅଭାବ ଥିଲା। ଏବେ ଲୋକଙ୍କୁ ଆଉ ଭୁଆଁ ବୁଲାଇହେବ ନାହିଁ। ଏହା ଏକ ସଚେତନ ଭାରତ। ଯେଉଁମାନେ ଆନ୍ତରିକ ନୁହନ୍ତି, ସେମାନଙ୍କୁ ଯୁବପିଢ଼ି ପ୍ରତ୍ୟାଖ୍ୟାନ କରିବେ।
ଦୁଇ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଓ କଂଗ୍ରେସର ବରିଷ୍ଠ ନେତାମାନେ ସଂସଦ ଅଭିଯାନ ସମୟରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନର ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ୭, ଲୋକ କଲ୍ୟାଣ ମାର୍ଗ ବାସଭବନ ନିକଟରେ ଧାରଣା ଦେଇଥିଲେ। ସେହି ସମୟରେ ରାହୁଲ ଗାନ୍ଧୀଙ୍କୁ ପୁଲିସ ଉଠାଇ ନେଇଥିଲା ଏବଂ ଠେଲାପେଲା ବେଳେ ତାଙ୍କ ନାକରୁ ରକ୍ତସ୍ରାବ ମଧ୍ୟ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ କରି କଂଗ୍ରେସ ପ୍ରଶାସନିକ ବିଫଳତାର ପ୍ରସଙ୍ଗକୁ ରାଜନୈତିକ ଜବାବଦେହିତାର ଆଲୋଚନାକୁ ନେବାକୁ ଚେଷ୍ଟା କରିଥିଲା। ଆଙ୍ଗମୋଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଯେ, ଏହି ଆନ୍ଦୋଳନ କୌଣସି ରାଜନୈତିକ ଦଳର ସମର୍ଥନ ବିନା ସ୍ୱତଃସ୍ଫୂର୍ତ୍ତ ଭାବେ ଆଗକୁ ବଢ଼ୁଛି। ଗୀତାଞ୍ଜଳି ଆଙ୍ଗମୋ କହିଛନ୍ତି ଯେ, କକରୋଚ୍ ଜନତା ପାର୍ଟି (ସିଜେପି)ର ନେତୃତ୍ୱରେ ଚାଲିଥିବା ଛାତ୍ର ଆନ୍ଦୋଳନ ଦେଶର ରାଜନୈତିକ ନେତୃତ୍ୱକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, କେବଳ ପ୍ରତୀକାତ୍ମକ ପଦକ୍ଷେପ କିମ୍ବା ଦେଖାଣିଆ ସମର୍ଥନ ଆଉ ପର୍ଯ୍ୟାପ୍ତ ନୁହେଁ। ସେ କହିଛନ୍ତି, ଏହି ଆନ୍ଦୋଳନ ସମସ୍ତ ରାଜନେତାଙ୍କୁ ବୁଝାଇଛି ଯେ, ସେମାନେ କେବଳ କଥା ନୁହେଁ, କାମରେ ମଧ୍ୟ ତାହାକୁ ପ୍ରମାଣ କରିବାକୁ ପଡ଼ିବ। ଆଉ କାହାକୁ ଭ୍ରମିତ କରିହେବ ନାହିଁ, ଆଉ ଆନ୍ତରିକତା ବିନା ରାଜନୀତି ଚାଲିବ ନାହିଁ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଚେଭେନିଂ ସ୍କଲାର ଆଙ୍ଗମୋ କହିଛନ୍ତି, ଆମ ପାଇଁ ନା ବିରୋଧୀ ଦଳ ଅଛି, ନା ସରକାର। ଆମ ପାଇଁ ସଂସଦ ହେଉଛି ସର୍ବୋଚ୍ଚ ଅନୁଷ୍ଠାନ। ଆମେ ଚାହୁଁଛୁ ସଂସଦ ଶିକ୍ଷାକୁ ଦେଶର ମୌଳିକ ପ୍ରସଙ୍ଗ ଭାବେ ବିଚାର କରୁ। ସେ କହିଛନ୍ତି, ଯେଉଁମାନେ କୌଣସି ରାଜନୈତିକ ସ୍ୱାର୍ଥ ବିନା ଆସିବେ, ସେମାନଙ୍କୁ ଆନ୍ଦୋଳନରେ ସ୍ୱାଗତ କରାଯିବ। କିନ୍ତୁ ଯେଉଁମାନେ ନିଜର ରାଜନୈତିକ ଏଜେଣ୍ଡା ନେଇ ଆସିବେ, ସେମାନେ ଆପେଆପେ ବାଦ ପଡ଼ିଯିବେ। କାରଣ ଏହି ଆନ୍ଦୋଳନ ଆନ୍ତରିକତା ଓ ପବିତ୍ର ଉଦ୍ଦେଶ୍ୟରୁ ଜନ୍ମ ନେଇଛି।
ଜୁଲାଇ ୧୮ରେ ଜନ୍ତର ମନ୍ତରରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରଠାରୁ ଗୀତାଞ୍ଜଳି ଆଙ୍ଗମୋ ସବୁବେଳେ ତାଙ୍କ ସହ ରହିଛନ୍ତି। ପ୍ରଥମେ ୱାଙ୍ଗଚୁକଙ୍କୁ ସରକାରୀ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ପରେ ଗୀତାଞ୍ଜଳି ଆଙ୍ଗମୋଙ୍କ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପସନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ। ବୁଧବାର ୱାଙ୍ଗଚୁକ ନିଜ ଅନଶନ ଶେଷ କରିବା ପାଇଁ କିଛି ଦାବି ସମ୍ବଳିତ ଏକ ପତ୍ର ପ୍ରକାଶ କରିଥିଲେ। ସେଥିରେ ଜୁଲାଇ ୨୦ର ପଦଯାତ୍ରାରେ ଭାଗ ନେଇଥିବା କୌଣସି ଛାତ୍ରଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନ କରିବାକୁ ସରକାରଙ୍କଠାରୁ ଆଶ୍ୱାସନ ଦାବି କରାଯାଇଛି। ତେବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି, ଯାହା ତାଙ୍କର ପ୍ରମୁଖ ଦାବି ଥିଲା, ସେହି ପତ୍ରରେ ଉଲ୍ଲେଖ ହୋଇନଥିଲା। ଏହାକୁ ତାଙ୍କ ଆଭିମୁଖ୍ୟରେ କିଛିଟା ନରମ ମନୋଭାବ ବୋଲି ଦେଖାଯାଇଥିଲା। ତେବେ ୱାଙ୍ଗଚୁକ କହିଛନ୍ତି ଯେ, ଚଳିତ ସପ୍ତାହରେ ହସ୍ପିଟାଲରେ ତାଙ୍କୁ ଭେଟିଥିବା କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ତାଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ମଧ୍ୟ ବିଚାର କରାଯିବ।
Tags:




