କକ୍ରୋଚ୍ ଜନତା ପାର୍ଟି , ମିମ୍ରୁ କୋର୍ଟ ପର୍ଯ୍ୟନ୍ତ
ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭୟଙ୍କର ଚର୍ଚ୍ଚାରେ ଥିବା କକ୍ରୋଚ୍ ଜନତା ପାର୍ଟି ବିବାଦ ଏବେ ସିଧାସଳଖ କୋର୍ଟରେ ପହଞ୍ଚିଛି । ଏକ ବ୍ୟଙ୍ଗାତ୍ମକ ମିମ୍ ଅଭିଯାନ ଭାବେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କେବଳ କିଛି ଦିନ ମଧ୍ୟରେ ଲକ୍ଷାଧିକ ଯୁବକଙ୍କୁ ଆକର୍ଷିତ କରିଦେଇଛି । କିନ୍ତୁ ଏବେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ ହେବା, ସରକାର ଉପରେ ସେନ୍ସରସିପ୍ ଅଭିଯୋଗ ଏବଂ ସୁପ୍ରିମକୋର୍ଟରେ ଶୁଣାଣି ଭଳି ଘଟଣା ଏହି ବିବାଦକୁ ଆହୁରି ଗମ୍ଭୀର କରିଦେଇଛି । ତେବେ କିପରି ଆରମ୍ଭ ହେଲା ଏହି କକ୍ରୋଚ୍ ଜନତା ପାର୍ଟି ବିବାଦ ଏବଂ କାହିଁକି ଏହା ଏବେ ଜାତୀୟ ଚର୍ଚ୍ଚାର ବିଷୟ ପାଲଟିଛି, ଆସନ୍ତୁ ଜାଣିବା ।
.jpeg)
ସୋସିଆଲ ମିଡିଆରେ ହଠାତ୍ ଭାଇରାଲ୍ ହୋଇଥିବା କକ୍ରୋଚ୍ ଜନତା ପାର୍ଟି ଅର୍ଥାତ୍ CJP ବିବାଦ ଏବେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରି ସରକାରଙ୍କ ଦ୍ୱାରା ଦଳର ଅଫିସିଆଲ୍ X ଆକାଉଣ୍ଟ ବ୍ଲକ୍ କରାଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସରକାର ପକ୍ଷରୁ ଜାତୀୟ ସୁରକ୍ଷାକୁ କାରଣ ଦେଖାଯାଇଥିଲେ ମଧ୍ୟ, ଦୀପକେ ଏହାକୁ ସିଧାସଳଖ ଭାବେ ମତପ୍ରକାଶର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି। ସମଗ୍ର ବିବାଦର ମୂଳରେ ରହିଛି ଏକ ସୋସିଆଲ ମିଡିଆ ଆନ୍ଦୋଳନ। କକ୍ରୋଚ୍ ଜନତା ପାର୍ଟି କୌଣସି ପାରମ୍ପରିକ ରାଜନୈତିକ ଦଳ ନୁହେଁ। ଏହା ଆରମ୍ଭ ହୋଇଥିଲା ଏକ ବ୍ୟଙ୍ଗାତ୍ମକ ଡିଜିଟାଲ୍ ଅଭିଯାନ ଭାବେ। ମଇ ୧୫ତାରିଖରେ ସୁପ୍ରିମକୋର୍ଟର ଏକ ଶୁଣାଣି ସମୟରେ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କିଛି ଲୋକଙ୍କୁ କକ୍ରୋଚ୍ ଓ ପରଜୀବୀ ଭଳି ଶବ୍ଦରେ ବର୍ଣ୍ଣନା କରିଥିବା ଅଭିଯୋଗ ହୋଇଥିଲା। ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭୟଙ୍କର ଭାବେ ଭାଇରାଲ୍ ହୋଇଯାଇଥିଲା।
.jpeg)
ପରେ CJI ସ୍ପଷ୍ଟ କରିଥିଲେ ଯେ ତାଙ୍କ ମନ୍ତବ୍ୟ ଦେଶର ଯୁବପିଢ଼ିଙ୍କ ବିରୋଧରେ ନୁହେଁ, ବରଂ ନକଲି ଡିଗ୍ରୀ ବ୍ୟବହାର କରି ପେଶାଗତ କ୍ଷେତ୍ରକୁ ପ୍ରବେଶ କରୁଥିବା ଲୋକଙ୍କୁ ନେଇ ଥିଲା। ସେ କହିଥିଲେ ଯେ ଭାରତର ଯୁବପିଢ଼ି ଦେଶର ଶକ୍ତି ଏବଂ ସେ ତାଙ୍କୁ ନେଇ ଗର୍ବିତ। କିନ୍ତୁ ସେହି ପର୍ଯ୍ୟନ୍ତ ସୋସିଆଲ ମିଡିଆ ଏହି ବିଷୟକୁ ଏକ ନୂଆ ଆନ୍ଦୋଳନରେ ପରିଣତ କରିଦେଇଥିଲା। ମଇ 16 ତାରିଖରେ କକ୍ରୋଚ୍ ଜନତା ପାର୍ଟି ନାମରେ ଏକ ନୂଆ ଡିଜିଟାଲ୍ ଅଭିଯାନ ଆରମ୍ଭ ହେଲା। ଦଳର ବ୍ୟଙ୍ଗାତ୍ମକ ଟ୍ୟାଗଲାଇନ୍, ମିମ୍ ଏବଂ ଡିଜିଟାଲ୍ କ୍ୟାମ୍ପେନ୍ କେବଳ କିଛି ଦିନ ମଧ୍ୟରେ ଲକ୍ଷାଧିକ ଯୁବକଙ୍କୁ ଆକର୍ଷିତ କରିଦେଲା। ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଦାବି ଅନୁସାରେ, ତାଙ୍କ ଆକାଉଣ୍ଟରେ ଅତ୍ୟନ୍ତ କମ ସମୟରେ ଲକ୍ଷାଧିକ ଫଲୋଅର୍ସ ଯୋଡ଼ାଯାଇଥିଲେ ଏବଂ ସୋସିଆଲ ମିଡିଆରେ ଏହାର ପ୍ରଭାବ ବଡ଼ ବଡ଼ ରାଜନୈତିକ ଦଳଙ୍କ ଡିଜିଟାଲ୍ ପ୍ରଚାରକୁ ମଧ୍ୟ ପଛକୁ ପକାଇଦେଇଥିଲା। ଏହା ପରେ ଦଳର X ଆକାଉଣ୍ଟ ବ୍ଲକ୍ କରାଯାଇଥିଲା। ଦୀପକେ ଅଭିଯୋଗ କରିଛନ୍ତି ଯେ ସରକାର ଦଳର ବଢ଼ୁଥିବା ଲୋକପ୍ରିୟତାକୁ ଭୟ କରି ଏହି ପଦକ୍ଷେପ ନେଇଛନ୍ତି। ସେ ଏହାକୁ ଡିଜିଟାଲ୍ ସେନ୍ସରସିପ୍ ବୋଲି କହିଥିବାବେଳେ, ଏହି ବିଷୟକୁ ନେଇ ସୋସିଆଲ ମିଡିଆରେ ମତପ୍ରକାଶର ସ୍ୱାଧୀନତା ଉପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏପଟେ ସୁପ୍ରିମକୋର୍ଟରେ ମଧ୍ୟ CJP ସହ ଜଡିତ ଏକ ଆବେଦନ ଦାଖଲ ହୋଇଛି। ଆବେଦନରେ କଥିତ ନକଲି ଓକିଲ, ନକଲି ଡିଗ୍ରୀ ଏବଂ କୋର୍ଟର ମନ୍ତବ୍ୟର ବାଣିଜ୍ୟିକ ବ୍ୟବହାର ନେଇ ତଦନ୍ତ ଦାବି କରାଯାଇଛି। ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତ କହିଥିଲେ ଯେ ଏହି ବିଷୟକୁ ଅତ୍ୟଧିକ ଭାବପ୍ରବଣ ଭାବରେ ନେବାର ଆବଶ୍ୟକତା ନାହିଁ ଏବଂ ତୁରନ୍ତ ଶୁଣାଣିର ମଧ୍ୟ ପ୍ରୟୋଜନ ନାହିଁ। ଏହି ମଧ୍ୟରେ CJP ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛି ଯେ ଏହା କେବଳ ଏକ ମିମ୍ ପେଜ୍ ହୋଇ ରହିବ ନାହିଁ। ଦଳ ଦାବି କରୁଛି ଯେ ସେମାନେ ଏହି ଡିଜିଟାଲ୍ ଅଭିଯାନକୁ ଏକ ବଡ଼ ଯୁବ ଆନ୍ଦୋଳନରେ ପରିଣତ କରିବେ। ଦଳ ତାଙ୍କ ପୋଷ୍ଟରେ ଲେଖିଛି, କକ୍ରୋଚ୍ ସବୁଠାରୁ କଠିନ ପରିସ୍ଥିତିରେ ମଧ୍ୟ ବଞ୍ଚିଥାଏ। ଆଜିର ଯୁବପିଢ଼ିଙ୍କ ଅବସ୍ଥା ମଧ୍ୟ ସେହିପରି। ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏହି ବ୍ୟଙ୍ଗାତ୍ମକ ଅଭିଯାନ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି। ଆଗାମୀ ଦିନରେ କୋର୍ଟ ଏହି ମାମଲାରେ କେମିତି ମତ ଦେବେ ଏବଂ CJP ଆସଲେ ଏକ ବଡ଼ ଆନ୍ଦୋଳନରେ ପରିଣତ ହେବ କି ନାହିଁ, ସେଥିପରେ ସମସ୍ତଙ୍କ ନଜର ରହିଛି।



