କେରଳ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା୍କାଲି ସତିଶନଙ୍କ ଶପଥ

କେରଳ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା୍କାଲି ସତିଶନଙ୍କ ଶପଥ
Samaya Live Desk Picture
Published On

ତିରୁଅନନ୍ତପୁରମ୍‌: କଂଗ୍ରେସ ନେତା ଭିଡି ସତୀଶନ୍‌ ଆସନ୍ତାକାଲି କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସତୀଶନ ଆଜି ତାଙ୍କର ୨୧- ଜଣିଆ ସଦସ୍ୟ ବିଶିଷ୍ଟ ସମ୍ଭାବ୍ୟ କ୍ୟାବିନେଟ୍‌ର ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସତୀଶନ୍‌ କହିଛନ୍ତି, ଶପଥ ଗ୍ରହଣ ଉତ୍ସବ ସକାଳ ୧୦ଟାରେ ଅନୁଷ୍ଠିତ ହେବ। ଛଅ ଦଶନ୍ଧି ପରେ ଏକ ସମ୍ପୂର୍ଣ୍ଣ ୟୁଡିଏଫ୍‌ କ୍ୟାବିନେଟ୍‌ ଏକାଠି ଶପଥ ଗ୍ରହଣ କରିବ। ୟୁଡିଏଫ୍‌ ମେଣ୍ଟ ୨୦ ଜଣିଆ ମନ୍ତ୍ରୀ ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୨୧ ଜଣ ମନ୍ତ୍ରୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବୋଲି ସତୀଶନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ମନ୍ତ୍ରିମଣ୍ଡଳରେ କଂଗ୍ରେସ ପାର୍ଟିରୁ ୧୧ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରହିବେ। କ୍ୟାବିନେଟ୍‌ ମନ୍ତ୍ରୀ ତାଲିକା ମେଣ୍ଟ ଦଳ ଓ କଂଗ୍ରେସ ହାଇକମାଣ୍ଡଙ୍କ ସ୍ବୀକୃତି ପରେ ନିଆଯାଇଛି ବୋଲି ସତୀଶନ କହିଛନ୍ତି। ମେଣ୍ଟ ସାମାଜିକ ଓ ଆଞ୍ଚଳିକ ସନ୍ତୁଳନ ରକ୍ଷା କରି ମନ୍ତ୍ରୀ ବାଛିଛନ୍ତି ବୋଲି ସତୀଶନ୍‌ କହିଛନ୍ତି। କଂଗ୍ରେସ ପକ୍ଷରୁ ସତୀଶନଙ୍କ ବ୍ୟତୀତ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରମେଶ ଚେନ୍ନିଥାଲା, କେ ମୁରଲୀଧରନ୍, ସନ୍ନି ଯୋସେଫ୍, ବିନ୍ଦୁ କୃଷ୍ଣ, ଏପି ଅନିଲ କୁମାର, ପିସି ବିଷ୍ଣୁନାଦ, ଏମ ଲିଜୁ, ରୋଜୀ ଏମ ଜନ୍, ଟି ସିଦ୍ଦିକ, ଓଜେ ଜାନେଶ ଏବଂ କେ ଥୁଲାସୀ ଅଛନ୍ତି। ୟୁଡିଏଫ୍‌ ମେଣ୍ଟ ବିଧାନସଭାର ବାଚସ୍ପତି ଭାବରେ ବରିଷ୍ଠ ବିଧାୟକ ତିରୁଭାଞ୍ଚୁର ରାଧାକ୍ରିଷ୍ଣନ୍‌ ଓ ଉପବାଚସ୍ପତି ଭାବେ ଶାନିମୋଲ ଉସମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଯୋଗ ଦେବେ ବୋଲି ଜଣାପଡ଼ିଛି। 

Tags: