ଶିତଳା ମାତା ମନ୍ଦିରରେ ଦଳା ଚକଟା ୮ ମୃତ ୧୦ ରୁ ଉର୍ଦ୍ଧ୍ବ ଆହତ
ବିହାର : ନାଳନ୍ଦା ଶିତଳା ମାତା ମନ୍ଦିରରେ ଦଳା ଚକଟା ଘଟି ୮ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର ହୋଇଥିବାରୁ ମନ୍ଦିରରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଫଳରେ ସ୍ଥିତି ଅନାୟତ ହେବାରୁ ଦଳା ଚକଟା ସ୍ଥିତି ଉପୁଜିଥିଲା । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ନାଳନ୍ଦା ଦୀପ ନଗର ଥାନା ଅନ୍ତର୍ଗତ ମଘରା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପ୍ରତି ଚୈତ୍ର ମଙ୍ଗଳବାରରେ ମା'ଙ୍କ ପୂଜା ପାଇଁ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଆସୁଥିବାବେଳେ ଆଜି ଶେଷ ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ । ତେବେ ଅଧିକ ଶ୍ରଦ୍ଧାଳୁ ପହଞ୍ଚିବାରୁ ହଠାତ ସ୍ଥିତି ଅଣାୟତ୍ତ ହୋଇଥିଲା । ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ ଭକ୍ତ । ସୁରକ୍ଷା ବ୍ୟବସ୍ଥା ଠିକ୍ ନ ହେବା କାରଣରୁ ଅଧିକ ଶ୍ରଦ୍ଧାଳୁ ଯୋଗୁଁ ଦଳାଚକଟା ହୋଇଥିଲା । ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଘଟଣା ସ୍ଥଳରେ ଏସଡିଏମ୍ ପହଞ୍ଚିଛନ୍ତି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।




