ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ରେ ଯୋଗଦେବେ ପୁଟିନ , ଜିନପିଙ୍ଗ

ସେପ୍ଟେମ୍ବର ୧୨-୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ

ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ରେ ଯୋଗଦେବେ ପୁଟିନ , ଜିନପିଙ୍ଗ
Samaya Live Desk Picture
Published On

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ ଯୋଗଦେବାର ସମ୍ଭାବନା ରହିଛି। ପଶ୍ଚିମ ଏସିଆ ସଙ୍କଟ ଏବଂ ଇରାନ-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ତିକ୍ତତା ଜାରି ରହିଥିବାବେଳେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ମିଳିଥିବା ସୂନଚାନୁଯାୟୀ ଉକ୍ତ ୩ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ପୃଥକ୍‌ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ଯଦି ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଭାରତ ଗସ୍ତ କରନ୍ତି, ତେବେ ଅକ୍ଟୋବର ୨୦୧୯ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ସେ ୨୦୧୯ରେ ତାମିଲନାଡୁର ମାମଲ୍ଲାପୁରମରେ ମୋଦୀଙ୍କ ସହ ସାକ୍ଷାତ୍‌ କରିଥିଲେ। ଏହାର କିଛି ମାସ ପରେ ଲଦାଖ ସେକ୍ଟରରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚୀନ୍‌ ସୈନ୍ୟଙ୍କ ଅନୁପ୍ରବେଶକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ପରେ ଅକ୍ଟୋବର ୨୦୨୪ରେ ରୁଷ୍‌ର କାଜାନଠାରେ ଦୁଇ ନେତାଙ୍କ ସାକ୍ଷାତ୍‌ ହୋଇଥିଲା। ଏହାପରେ ଗତ ଅଗଷ୍ଟରେ ତିଆନଜିନଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ ସେମାନଙ୍କର ସର୍ବଶେଷ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ପାଞ୍ଚ ବର୍ଷ ପରେ ଭାରତ ପୁଣିଥରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରୁଛି।

Tags: