ପେଟ୍ରୋକେମିକାଲ ସାମଗ୍ରୀ ଉପରୁ ଉତ୍ପାଦ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ପେଟ୍ରୋକେମିକାଲ ଉତ୍ପାଦ ଗୁଡିକ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୨ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରମୁଖ ପେଟ୍ରୋକେମିକାଲ୍ ଉତ୍ପାଦ ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ କଷ୍ଟମ୍ ଶୁଳ୍କ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ କ୍ଷେତ୍ର ପାଇଁ ଏହା ଏକ ପ୍ରମୁଖ ଆଶ୍ୱସ୍ତି । ସରକାର ଆମୋନିୟମ୍ ନାଇଟ୍ରେଟ୍ ଏବଂ ଅନେକ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଏକମାସରୁ ଉର୍ଦ୍ଧ୍ବ ବିତିଥିବା ବେଳେ ବିଶ୍ୱ ବାଣିଜ୍ୟ ସହ ସମଗ୍ର ବିଶ୍ୱରେ ଦେଖାଦେଇଛି ଶକ୍ତି ସଙ୍କଟ ।
ଏହି ଛାଡ଼ ପେଟ୍ରୋକେମିକାଲ୍ କଞ୍ଚାମାଲ ଏବଂ ମଧ୍ୟବର୍ତ୍ତୀ ସାମଗ୍ରୀ, ଯେପରିକି ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ ଉପାଦାନ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଉପରେ ନିର୍ଭରଶୀଳ କ୍ଷେତ୍ରଗୁଡ଼ିକୁ ଲାଭଦାୟକ କରିବ। ଏବଂ ଚୂଡ଼ାନ୍ତ ଉତ୍ପାଦଗୁଡ଼ିକର ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଅର୍ଥ ମନ୍ତ୍ରଣାଳୟ ପ୍ରାୟ ୪୦ ପ୍ରକାରର ପେଟ୍ରୋକେମିକାଲ୍ କଞ୍ଚାମାଲ ଉପରୁ ଆମଦାନୀ ଶୁଳ୍କ ଉଚ୍ଛେଦ କରିଛି। ଯେଉଁଥିରେ ଆମୋନିୟମ୍ ନାଇଟ୍ରେଟ୍, ମିଥାନଲ୍, ଫେନୋଲ୍, ପିଭିସି ଏବଂ ପଲିପ୍ରପିଲିନ୍ ଭଳି ପ୍ରମୁଖ ରାସାୟନିକ ପଦାର୍ଥ ଅନ୍ତର୍ଭୁକ୍ତ।



