ସିବିଆଇ ମୁଖ୍ୟ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ାଇଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସୁଦଙ୍କ କାର୍ଯ୍ୟକାଳ ୨୦୨୬ ମେ’ ୨୪ରୁ ୧ ବର୍ଷ ବୃଦ୍ଧି କରିଛନ୍ତି ବୋଲି କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି। ଚୟନ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରବୀଣ ସୁଦ ୨୦୨୩ ମେ’ ୨୫ ତାରିଖରେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଥିଲେ। ଗତବର୍ଷ ସୁଦଙ୍କ କାର୍ଯ୍ୟକାଳ ପ୍ରଥମେ ବର୍ଷେ ପର୍ଯ୍ୟନ୍ତ ବଢ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା ଚୟନ କମିଟି ବୈଠକରେ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟିରେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଥିଲେ। ତେବେ ବୈଠକ ମଝିରେ ରାହୁଲ ତାଙ୍କ ଅସନ୍ତୋଷ ପ୍ରକାଶ କରି ଏହି ପ୍ରକ୍ରିୟାରୁ ଓହରିଯାଇଥିଲେ।



