ଝାଡ଼ଖଣ୍ଡ ଆନ୍ଦୋଳନ: ୫୦୦ ଅଜଣା ଛାତ୍ରଙ୍କ ସମେତ ୬୦୦ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା

ଝାଡ଼ଖଣ୍ଡ ଆନ୍ଦୋଳନ: ୫୦୦ ଅଜଣା ଛାତ୍ରଙ୍କ ସମେତ ୬୦୦ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା
Samaya Live Desk Picture
Published On

ରାଞ୍ଚି: ରାଞ୍ଚିରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ହୋଇଥିବା ପଦଯାତ୍ରାକୁ ନେଇ ପୁଲିସ ୬୦୦ ଜଣ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ୧୦୦ ଜଣଙ୍କ ନାମ ଥିବାବେଳେ, ୫୦୦ ଜଣ ଅଜଣା ଛାତ୍ର ଓ ଅନ୍ୟ ପ୍ରତିବାଦକାରୀଙ୍କୁ ମଧ୍ୟ ମାମଲାରେ ସାମିଲ କରାଯାଇଛି। ଝାଡ଼ଖଣ୍ଡର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରମାନଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି। ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର, କିଛି ପରୀକ୍ଷା ବାତିଲ ଏବଂ ଏକ ସ୍ୱାଧୀନ ତଦନ୍ତ ଦାବି କରି ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଜେପିଏସ୍‌ସି- ଜେଏସଏସସି ସଂସ୍କାର ମଞ୍ଚ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଧାରଣା ଦେଉଛି। ନିଯୁକ୍ତି ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ଅନେକ ପରୀକ୍ଷା ବାତିଲ ଏବଂ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ସ୍ୱାଧୀନ ତଦନ୍ତ ଦାବି କରାଯାଉଛି। ଉଲ୍ଲେଖ‌ଯୋଗ୍ୟ ସୋମବାର ପ୍ରତିବାଦକାରୀମାନେ ବିଧାନସଭା ଅଭିମୁଖେ ପଦଯାତୟା କରିବା ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଲାଠିଚାର୍ଜ, ପାଣି ତୋପ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲେ। ଏହା ପରେ ବିଜେପି ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସାରା ରାଜ୍ୟରେ ବନ୍ଦ ପାଳନ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବୁଧବାର ଚେତାବନୀ ଦେଇଥିଲେ ଯେ ଏକ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଦାବି ପୂରଣ ନହେଲେ ସେ ଅନଶନରେ ବସିବେ। ଏହି ପ୍ରସଙ୍ଗରେ ଏବିଭିପି ମଧ୍ୟ ୧,୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପ୍ରତିବାଦ କରିବାକୁ ଘୋଷଣା କରିଛି। ୨୦୨୪ ମସିହାର ଅବକାରୀ କନଷ୍ଟେବଲ୍ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ୧୯ ଜଣଙ୍କ ପରିବାରକୁ ପ୍ରତ୍ୟେକ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାସ ଦାବି କରିଛନ୍ତି।

Tags: