ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳ ଦଖଲ କରିହେବ ନାହିଁ: ସୁପ୍ରିମକୋର୍ଟ

ଦିଲ୍ଲୀର ବ୍ୟବସାୟୀଙ୍କ ୧୪ ହଜାର କୋଟି ଟଙ୍କା କ୍ଷତି ଦାବି

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳ ଦଖଲ କରିହେବ ନାହିଁ: ସୁପ୍ରିମକୋର୍ଟ
Samaya Live Desk Picture
Published On

ନୂଆଦିଲ୍ଲୀ: ଆନ୍ଦୋଳନ ନାମରେ କୌଣସି ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦଖଲ କରି ରଖାଯାଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଦୋଳନ କରିବାର ଅଧିକାର ସହିତ ବ୍ୟବସାୟୀଙ୍କ ଜୀବିକା ଏବଂ ସମାଜର ଅନ୍ୟ ବର୍ଗଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ମତ ଦେଇଛନ୍ତି। ଏହି ଘଟଣାରେ ବ୍ୟବସାୟିକ କ୍ଷତି, ବ୍ୟାପକ ଅଟକ, ପୁଲିସର ଅତ୍ୟାଚାର, ମେଟ୍ରୋ ଷ୍ଟେସନ ବନ୍ଦ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ଭଳି ଅଭିଯୋଗ ଉପରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ପୁଲିସ ଓ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ‘ସମସ୍ତଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଓ ଅବଧି ପାଇଁ ଏହାର ଅନୁମତି ଦିଆଯିବା ଉଚିତ।’ ଆନ୍ଦୋଳନ ପାଇଁ ଅନୁମତି ଦେବା ସମୟରେ ସର୍ତ୍ତାବଳି ସ୍ପଷ୍ଟ କରିବାକୁ ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ, ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଦାବି କରିଛି ଯେ ନଭେମ୍ବର ୧ରେ ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ସମାବେଶ ଯୋଗୁଁ ଦିଲ୍ଲୀର ବ୍ୟବସାୟୀମାନଙ୍କର ପ୍ରାୟ ୧୧ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଏହି ସମୟରେ ପ୍ରାୟ ୨.୫ ଲକ୍ଷ ଦୋକାନ ବନ୍ଦ ରହିଥିବା ଦାବି କରାଯାଇଛି। ଗତ ଏକ ମାସ ମଧ୍ୟରେ ବାରମ୍ବାର ରାଜନୈତିକ ସମାବେଶ ଓ ଆନ୍ଦୋଳନ ଯୋଗୁଁ ପ୍ରାୟ ୧୪ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ସିଟିଆଇ କହିଛି। ଏଥିସହ ନଭେମ୍ବର ୧୧ ପର୍ଯ୍ୟନ୍ତ ରାଲି, ଶୋଭାଯାତ୍ରା ଓ ଧାରଣା ଉପରେ ନିଷେଧାଦେଶ ଲଗାଇବାକୁ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅନୁରୋଧ କରିଛି। ଅନ୍ୟପଟେ, ଆନ୍ଦୋଳନ ସମୟରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି ନଭେମ୍ବର ୨୩ରେ ପୃଥକ୍ ଭାବେ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Tags: