ଆଉ ଅଧିକ କାମ କରିପାରୁନି , ନୂଆ ପିଢ଼ି ଦାୟିତ୍ୱ ନେବା ଉଚିତ : ନିତିନ ଗଡ଼କରୀ
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ସେ ପୂର୍ବଭଳି ଆଉ ଅଧିକ କାମ କରିପାରୁନାହାନ୍ତି ଏବଂ ଏବେ ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରିବାର ସମୟ ଆସିଛି।ନାଗପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଗଡକରୀ କହିଥିଲେ ଯେ ନିକଟ ଦିନଗୁଡ଼ିକରେ ସାର୍ବଜନୀନ କାର୍ଯ୍ୟରେ ତାଙ୍କର ସକ୍ରିୟତା କମିଛି ଏବଂ ଏବେ ଯୁବ ପିଢ଼ିଙ୍କୁ କାମକୁ ଆଗକୁ ବଢ଼ାଇବାର ସୁଯୋଗ ଦିଆଯିବା ଉଚିତ। କେନ୍ଦ୍ର ସରକାରରେ ସମ୍ଭାବ୍ୟ କ୍ୟାବିନେଟ୍ ପୁନର୍ଗଠନକୁ ନେଇ ଚର୍ଚ୍ଚା ବଢ଼ୁଥିବା ସମୟରେ ଗଡକରୀଙ୍କ ଏହି ମନ୍ତବ୍ୟ ଆସିଛି। ଗଡକରୀ କହିଥିଲେ, ‘ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରାଯିବା ଉଚିତ। ନୂଆ ପିଢ଼ି ଆସିସାରିଛି ଏବଂ ବୟସ୍କ ପିଢ଼ି ସେମାନଙ୍କୁ ମାର୍ଗଦର୍ଶନ କରୁଛି।’ ଦୈନନ୍ଦିନ କାର୍ଯ୍ୟରେ ତାଙ୍କର ଭୂମିକା କିପରି କମିଛି, ତାହା ବୁଝାଇବା ସମୟରେ ସେ ଏହା କହିଥିଲେ। ଗଡ଼କରୀ କହିଥିଲେ ‘ ମୁଁ ଗତ ୩୦ ବର୍ଷ ଧରି ନିରନ୍ତର ଭାବେ ସାର୍ବଜନୀନ ଜୀବନରେ କାମ କରିଆସିଛି। ମୁଁ ଅନେକ ଉତ୍ଥାନ-ପତନ ଦେଖିଛି ଏବଂ ଅନେକ ପୁରସ୍କାର ମଧ୍ୟ ପାଇଛି। କିନ୍ତୁ ଏବେ ମୁଁ ଅଧିକ କାମ କରିପାରୁନାହିଁ। ନୂଆ ପିଢ଼ିକୁ କାମ କରିବାର ସୁଯୋଗ ଦିଆଯିବା ଉଚିତ। ଗଡକରୀ ଆଗାମୀ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ବିକାଶ କାର୍ଯ୍ୟର ପରିମାଣ ଆହୁରି ବଢ଼ିବ। ମହାରାଷ୍ଟ୍ରର କୌଣସି ଆଦିବାସୀ ଗାଁ ବିଦ୍ୟୁତ୍ ସୁବିଧାରୁ ବଞ୍ଚିତ ନ ରହିବା ଏବଂ ସମଗ୍ର ରାଜ୍ୟରେ ବିକାଶ ଦୃଶ୍ୟମାନ ହେବା ନିଶ୍ଚିତ କରିବା ଲକ୍ଷ୍ୟ ବୋଲି ସେ କହିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିଜେପିର ବଡ଼ ସାଙ୍ଗଠନିକ ପୁନର୍ଗଠନର କିଛି ଦିନ ପରେ ଆସିଛି। ୨୦୧୫ରେ ଅମିତ ଶାହ ଦଳର ଅଧ୍ୟକ୍ଷ ହେବା ପରଠାରୁ ଏହା ପ୍ରଥମ ଥର ଏତେ ବଡ଼ ପରିମାଣର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଗତ ସପ୍ତାହରେ ବିଜେପି ଦଳର ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ନୂଆ ଜାତୀୟ ଟିମ୍ ଘୋଷଣା କରିଥିଲା। ୬୫ ଜଣିଆ ଟିମ୍ରେ ୫୧ ନୂଆ ମୁହଁ ଅଛନ୍ତି। ନୂଆ ଟିମ୍ରେ ୧୩ ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ପୂର୍ବତନ ଆରଏସଏସ କାର୍ଯ୍ୟକର୍ତ୍ତା ରାମ ମାଧବ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦଳର ୮ ଜଣ ଜାତୀୟ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ଅଛନ୍ତି।




