ଆନ୍ଧ୍ରପ୍ରଦେଶରେ ଖାଇକୁ ବସ୍‌ ଖସି ୯ ଜଣଙ୍କ ମୃତ୍ୟୁ 

ଆନ୍ଧ୍ରପ୍ରଦେଶରେ ଖାଇକୁ ବସ୍‌ ଖସି ୯ ଜଣଙ୍କ ମୃତ୍ୟୁ 
Samaya Live Desk Picture
Published On

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଆଲ୍ଲୁରି ସୀତାରାମରାଜୁ ଜିଲ୍ଲାରେ ଏକ ଗଭୀର ଖାଇକୁ ବସ୍‌ ଖସି ପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୨ ଜଣ ଆହତ ହୋଇଛନ୍ତି। ଘାଟ ରୋଡ୍‌ରୁ ବସ୍‌ଟି ଖସି ପଡ଼ିବା ଫଳରେ ଏତେବଡ଼ ହୃଦୟବିଦାରକ ଘଟଣା ଘଟିଯାଇଛି।   ଚିଣ୍ଟୁର-ନରେଡୁମିଲି ଘାଟରେ ଡ୍ରାଇଭର ହଠାତ୍‌ ଏକ ବୁଲାଣି ଦେଖିନପାରି ସୁରକ୍ଷା ବାଡ଼ରେ ଗାଡ଼ି ପିଟି ଦେଇଥିଲେ ଏବଂ ଗାଡ଼ି ସିଧା ଯାଇ ଖାତରେ ପଡ଼ିଥିଲା।  ବସ୍‌ରେ ଥିବା ଯାତ୍ରୀମାନେ ହେଉଛନ୍ତି ଚିତ୍ତୁର ଜିଲ୍ଲାର। ସେମାନେ କାକିନଡ଼ା ଜିଲ୍ଲା ସ୍ଥିତ ଆନ୍ନାବରମ ମନ୍ଦିର ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି। ଯାତ୍ରୀମାନେ ତେଲେଙ୍ଗାନାର ଭଦ୍ରଚଲମ ମନ୍ଦିର ଦର୍ଶନ ସାରି ଆନ୍ନାବରମ ମନ୍ଦିର ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନେବାପାଇଁ ଘଟଣା ସ୍ଥଳରେ ୫ ପୁଲିସ ଗାଡ଼ି ଏବଂ ୩ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।