ପଶ୍ଚିମବଙ୍ଗରେ ବୁଲୁଛି ବୁଲଡୋଜର

ପଶ୍ଚିମବଙ୍ଗରେ ବୁଲୁଛି ବୁଲଡୋଜର
Samaya Live News Picture
Published On

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ପରେ ରାଜନୈତିକ ହିଂସା ଏବଂ ଆଶାନ୍ତି ଚରମ ସୀମାରେ ପହଞ୍ଚିଛି । କୋଲକାତାରୁ ଆରମ୍ଭ କରି ହାୱଡା, ଆସାନସୋଲ, ମୁର୍ଶିଦାବାଦ, ଦକ୍ଷିଣ ୨୪ ପରଗନା, ଜଲପାଇଗୁଡି ଏବଂ ସିଲିଗୁଡି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଭଙ୍ଗାରୁଜା, ଅଗ୍ନିଜ୍ୱଳନ, ଆକ୍ରମଣ ଏବଂ ହତ୍ୟାର ଖବର ସାମ୍ନାକୁ ଆସୁଛି । ରାଜ୍ୟର ଅନେକ ଅଞ୍ଚଳରେ ଟିଏମସି କାର୍ଯ୍ୟାଳୟ ଉପରେ ଆକ୍ରମଣ, ନିଆଁ ଲଗାଇବା ଏବଂ ବୁଲଡୋଜର ଚାଲିଥିବାର   ଅଭିଯୋଗ ହୋଇଛି । ଅନ୍ୟପଟେ ବିଜେପି ଦାବି କରୁଛି ଯେ ଟିଏମସି ସମର୍ଥକମାନେ ପରାଜୟର ଭୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି । କୋଲକାତାର ନ୍ୟୁ ମାର୍କେଟ ଅଞ୍ଚଳରେ ବୁଲଡୋଜର ଚାଲିଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଟିଏମସି ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଛନ୍ତି ଯେ ବିଜୟ ଉତ୍ସବ  ନାମରେ ଗୁଣ୍ଡାଗିରି କରାଯାଉଛି । ଅନ୍ୟପଟେ କିଛି ବ୍ୟବସାୟୀ ଦାବି କରିଛନ୍ତି ଯେ ବେଆଇନ ଦଖଲ ହଟାଇବା ପାଇଁ ବୁଲଡୋଜର ବ୍ୟବହାର ହୋଇଥିଲା । ଘଟଣା ପରେ ପ୍ରବଳ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । 

ହାୱଡା ଏବଂ ଆସାନସୋଲରେ ଟିଏମସି କାର୍ଯ୍ୟାଳ୍ୟକୁ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । କିଛି ସ୍ଥାନରେ ଦଳୀୟ କାଯ୍ୟାଳୟ ଭଙ୍ଗାରୁଜା ହୋଇଥିବା ବେଳେ ମୁର୍ଶିଦାବାଦରେ ଲେନିନଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି । ସେହିପରି ଦକ୍ଷିଣ ୨୪ ପରଗନାର ଏକ ଟିଏମସି କାର୍ଯ୍ୟାଳୟରୁ ୧୮ଟି ଧାରୁଆ ଅସ୍ତ୍ର ଉଦ୍ଧାର ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ପୋଲିସ ଏହାର ତଦନ୍ତ କରୁଛି ଏବଂ ନିର୍ବାଚନ ପରବର୍ତ୍ତୀ ହିଂସା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଖୋଜୁଛି । ଏହି ଘଟଣାଗୁଡିକୁ ନେଇ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି ।

ଏହି ହିଂସାରେ ଏପର୍ଯ୍ୟନ୍ତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ମୃତକମାନଙ୍କ ମଧ୍ୟରେ ବିଜେପି ଏବଂ ଟିଏମସି ଦୁଇ ଦଳର କର୍ମୀ ରହିଛନ୍ତି । କୋଲକାତାର ନ୍ୟୁ ଟାଉନରେ ବିଜେପି କର୍ମୀ ମଧୁ ମଣ୍ଡଳଙ୍କ ମୃତ୍ୟୁ ଘଟିଥିବା ବେଳେ ବେଲିଆଘାଟାରେ ଟିଏମସି ନେତା ବିଶ୍ୱଜିତ ପଟ୍ଟନାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୀରଭୂମିରେ ଟିଏମସି କର୍ମୀ ଆବିର ଶେଖଙ୍କ ହତ୍ୟାକୁ ନେଇ ତୀବ୍ର ରାଜନୈତିକ ତର୍କ ଚାଲିଛି । ଏହି ସମୟରେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସୁରକ୍ଷା ହ୍ରାସ କରା ଯାଇଥିବା ଖବର ମଧ୍ୟ ଚର୍ଚ୍ଚାରେ ରହିଛି । ଟିଏମସି ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହୁଥିବା ବେଳେ ଡିଜିପି ସ୍ପଷ୍ଟ କରିଛନ୍ତି ଯେ ଦୁଇ ନେତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଜାରି ରହିଛି । କେବଳ ଅତିରିକ୍ତ ପୋଲିସ ମୁତୟନକୁ ଆଇନ ଶୃଙ୍ଖଳା କାମରେ ବ୍ୟବହାର ପାଇଁ ହଟାଯାଇଛି । 

ଅନ୍ୟପଟେ ବିଜେପି ସମର୍ଥକମାନେ କହୁଛନ୍ତି ଯେ ଦୀର୍ଘ ୧୫ ବର୍ଷ ପରେ ବଙ୍ଗଳାରେ ପରିବର୍ତ୍ତନର ପରିବେଶ ଦେଖାଯାଉଛି । ସେମାନଙ୍କ ମତରେ ଲୋକମାନେ ଏବେ ଖୋଲାମେଲା ଭାବରେ ଜୟ ଶ୍ରୀ ରାମ କହିପାରୁଛନ୍ତି ଏବଂ ଭୟମୁକ୍ତ ପରିବେଶ ଅନୁବବ କରୁଛନ୍ତି । ତେବେ ହିଂସାର ଚିତ୍ର ଏବଂ ଆହତ ହୋଇ ହସ୍ପିଟାଲରେ ପହଞ୍ଚୁଥିବା କର୍ମୀମାନଙ୍କ ଦୃଶ୍ୟ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗଭୀର ପ୍ରଶ୍ନ ଉଠାଇଛି । ବର୍ତ୍ତମାନ ପଶ୍ଚିମବଙ୍ଗରେ ରାଜନୈତିକ ପରିସ୍ଥିିତି ତିବ୍ର ଉତ୍ତେଜନା ମଧ୍ୟରେ ରହିଛି । ଦୁଇ ପକ୍ଷ ହିଂସା ପାଇଁ ପରସ୍ପରକୁ ଦାୟୀ କରୁଥିବା ବେଳେ ସାଧାରଣ ଲୋକ ଶାନ୍ତି ଏବଂ ସ୍ଥିରତା ଫେରିବାକୁ ଅପେକ୍ଷା କରିଛନ୍ତି । ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ନିର୍ଦୟ ଭାବରେ ହତ୍ୟାକାଣ୍ଡ ଘଟୁଛି, ଦଳୀୟ କାର୍ଯ୍ୟାଳୟଗୁଡିକୁ ନିଆଁ ଲଗାଯାଉଛି ଏବଂ ଏସବୁ କେନ୍ଦ୍ରୀୟ ବାହିନୀର ଉପସ୍ଥିତିରେ ହେଉଛି । ସେମାନଙ୍କ ମତରେ ବିଜେପି ସମର୍ଥକମାନେ ଆକ୍ରମଣ ଏବଂ ଭଙ୍ଗାରୁଜାରେ ଜଡିତ ଅଛନ୍ତି । ଯେତେବେଳେ ସୁରକ୍ଷା ବାହିନୀ ନିରବ ଦର୍ଶକ ହୋଇ ରହିଛି । ଟିଏମସି ପକ୍ଷରୁ କୁହାଯାଇଛି ଯେ କ୍ଷମତା କେବେ ସ୍ଥାୟୀ ନୁହେଁ ଏବଂ ଯେଉଁମାନେ ଆଜି ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନେ ଭବିଷ୍ୟତରେ ତାହାର ପରିଣାମ ଭୋଗିବେ । ସେମାନେ ଅଭିଯୋଗ କରିଛନ୍ତି ଯେ ଆକ୍ରମଣ, ଲୁଟପାଟ ଏବଂ ହତ୍ୟା ଏବେ କିଛି ଲୋକଙ୍କ ପାଇଁ ରାଜନୈତିକ ଖେଳର ଅଂଶ ହୋଇପଡିଛି । ତେବେ ବିଜେପି ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି । ବିଜେପି ନେତାମାନେ ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ଏପରି କୌଣସି ପ୍ରମାଣିତ ଘଟଣା ସାମ୍ନାକୁ ଆସିନାହିଁ । ସେମାନଙ୍କ କହିବା ଅନୁଯାୟୀ ଯଦି କେଉଁଠି ହିଂସା ଘଟିଥାଏ ତେବେ ଆଇନ ଅନୁଯାୟୀ ନିରପେକ୍ଷ ଭାବରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ଏବଂ ଦୋଷୀ କିଏ ହେଉନା କାହିଁକି ତାଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ପରେ ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି ଏବଂ ଦୁଇ ପକ୍ଷ ମଧ୍ୟରେ ଶବ୍ଦ ଯୁଦ୍ଧ ଜାରି ରହିଛି

 

Tags: