ବାଂଲାଦେଶ ମତଦାନ,  ଭୋଟିଂ ବୁଥ୍‌ରେ ବିସ୍ଫୋରଣ  

ବିଏନ୍‌ପି ନେତାଙ୍କ ମୃତ୍ୟୁ

ବାଂଲାଦେଶ ମତଦାନ,  ଭୋଟିଂ ବୁଥ୍‌ରେ ବିସ୍ଫୋରଣ  

ଢାକା: ବାଂଲାଦେଶରେ  ଶେଖ୍‌ ହସିନାଙ୍କୁ ଗାଦିଚ୍ୟୁତ କରିବାପରେ ଦେଶରେ ପ୍ରଥମ ଥର ନିର୍ବାଚନ ଅନୁ‌ଷ୍ଠିତ ହେଉଛି। ଏହି ନିର୍ବାଚନ କେବଳ ଢାକା ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଭୋଟିଂ ଦିନରେ ଆଜି ପ୍ରବଳ ହିଂସା ଉପୁଜିଛି। ୨ଟି ଭୋଟିଂ ବୁଥ୍‌ରେ ବିସ୍ଫୋରଣ ହୋଇଛି ଏବଂ ସଂଘର୍ଷରେ ଜଣେ ବିଏନ୍‌ପି ନେତାଙ୍କ ମୃତ୍ୟୁ ହୋଇଛି। ବାଂଲାଦେଶରେ ଗତ ୧୮ ମାସ ହେଲା ହିଂସା ଓ ଅଶାନ୍ତି ଲାଗି ରହିଛି। ଶେଖ ହସିନାଙ୍କ ଶାସନର ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ୟୁନୁସଙ୍କ କାର୍ଯ୍ୟକାଳରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ପ୍ରାୟ ନିତିଦିନିଆ ଘଟଣା ହୋଇଯାଇଛି। ଏହି ନିର୍ବାଚନ ପରେ ନିର୍ବାଚିତ ସରକାର ଓ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ମହିଳା ସାଂସଦ

ଗୁରୁବାର ସକାଳ ୭.୩୦ରୁ ମତଦାନ ଆରମ୍ଭ ହୋଇଥିବାବେଳେ  ପ୍ରକ୍ରିୟା ଜାରି ରହିଛି। ତାରିକ୍‌ ରହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଓ ଏହାର ଏକଦା ସହଯୋଗୀ ଦଳ ଥିବା ଜମାତ୍‌ -ଇ-ଇସଲାମି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା ହେଉଛି। ଭୋଟ ଦେବାକୁ ବହୁ ସଂଖ୍ୟାରେ ଲୋକମାନେ ମତଦାନ କେନ୍ଦ୍ରରେ ଆସୁଛନ୍ତି। ୨୦୦୯ ପରେ ଏହାକୁ ଦେଶର ପ୍ରଥମ ପ୍ରକୃତ ନିର୍ବାଚନୀ ଲଢ଼େଇ ଭାବେ ଗ୍ରହଣ କରାଯାଇଛି। ବାଂଲାଦେଶର ୧୭ କୋଟି ଜନସାଧାରଣଙ୍କ ମଧ୍ୟରେ ୧୨ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ ‌ହୋଇଛନ୍ତି। ବାଂଲାଦେଶ ନିର୍ବାଚନକୁ ‘ଜେନ୍‌ ଜି’ ନିର୍ବାଚନ ମଧ୍ୟ କୁହାଯାଉଛି। ୧୨ କୋଟି ଭୋଟରଙ୍କ ମଧ୍ୟରୁ ୩.୫୮ କୋଟି ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡ଼ିଛି। ୩୦୦ ସଂସଦୀୟ ଆସନରୁ ୨୯୯ ଆସନରେ ମତଦାନ ଅନୁଷ୍ଠିତ ହେଉଥିବାବେଳେ ୧,୯୮୧ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର ପୁଣି ଜଳିଲା ମଣିପୁର: ୩୦ରୁ ଅଧିକ ଘରେ ନିଆଁ ଲଗାଇଦେଲେ

Tags: