ବାଂଲାଦେଶରେ ଛାତ୍ରଲିଗ୍‌ର ଅବରୋଧ ବେଳେ ହିଂସା; ଜଳିଗଲା ବିଏନ୍‌ପି କାର୍ଯ୍ୟାଳୟ, ବସ୍‌ ଡ୍ରାଇଭର ମୃତ

ବାଂଲାଦେଶରେ ଛାତ୍ରଲିଗ୍‌ର ଅବରୋଧ ବେଳେ ହିଂସା; ଜଳିଗଲା ବିଏନ୍‌ପି କାର୍ଯ୍ୟାଳୟ, ବସ୍‌ ଡ୍ରାଇଭର ମୃତ
Samaya Live Desk Picture
Published On

ଢାକା: ବାଂଲାଦେଶରେ ପୁଣି ରାଜନୈତିକ ହିଂସା ଓ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନିଷିଦ୍ଧ ଛାତ୍ରଲିଗ୍‌ ପକ୍ଷରୁ ଡକାଯାଇଥିବା ଦେଶବ୍ୟାପୀ ଅବରୋଧ ମଧ୍ୟରେ ଖଗ୍ରାଛାରି ଜିଲ୍ଲାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର ଏକ କାର୍ଯ୍ୟାଳୟକୁ ନିଆଁ ଲଗାଇ ଦିଆଯାଇଛି। ଅନ୍ୟପଟେ ଫରିଦପୁରରେ ଏକ ବସ୍‌ରେ ନିଆଁ ଲଗାଇ ଦିଆଯିବାରୁ ଭିତରେ ଶୋଇଥିବା ୬୦ ବର୍ଷୀୟ ଡ୍ରାଇଭରଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁସାରେ, ଖଗ୍ରାଛାରି ଜିଲ୍ଲାର ଗୁଇମାରା ଉପଜିଲ୍ଲା ଅନ୍ତର୍ଗତ ହାଫଛାରି ୟୁନିଅନ୍‌ର ୱାର୍ଡ ନମ୍ବର ୬ରେ ଥିବା ବିଏନ୍‌ପି କାର୍ଯ୍ୟାଳୟରେ ମଙ୍ଗଳବାର ଭୋର୍‌ ପ୍ରାୟ ୩ଟା ୩୦ରେ ନିଆଁ ଲଗାଯାଇଥିଲା। ଏଥିରେ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଆୱାମୀ ଲିଗ୍‌ ଓ ଛାତ୍ରଲିଗ୍‌ ସହ ଜଡ଼ିତ ୬ ଜଣଙ୍କୁ ଅଟକ ରଖିଥିବା ପୁଲିସ କହିଛି। ଫରିଦପୁରରେ ମହମ୍ମଦ କଲାଚାନ ଶେଖ୍‌ (୬୦) ନାମକ ଜଣେ ବସ୍‌ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଉଦ୍ଧାର ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଫରିଦପୁର କୋତୱାଲି ଥାନା ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଢାକାର ଧାମରାଇ ଓ ସାଭାର, ଚଟ୍ଟୋଗ୍ରାମ ସମେତ ବିଭିନ୍ନ ସ୍ଥାନରେ ବସ୍‌ ଓ ଅନ୍ୟ ଯାନବାହନରେ ନିଆଁ ଲଗାଯାଇଥିବା ଖବର ମିଳିଛି। ଗୋପାଳଗଞ୍ଜରେ ସରକାରୀ ଜିଲ୍ଲା ସ୍କୁଲ, ମହିଳା କଲେଜ, ଶିଳ୍ପକଳା ଏକାଡେମୀ ଓ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଦେଶୀ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରୁ ୧୫ଟି ଦେଶୀ ବୋମା ଜବତ ହୋଇଥିବା ପୁଲିସ କହିଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। ଚଟ୍ଟୋଗ୍ରାମର ହାଥାଜାରି ଅଞ୍ଚଳରେ ଦୁଇଟି ବସ୍‌ ଭଙ୍ଗାରୁଜା ଅଭିଯୋଗରେ ତିନି ଜଣ ଛାତ୍ରଲିଗ୍‌ କର୍ମୀ ଗିରଫ ହୋଇଥିବାବେଳେ ସେମାନଙ୍କଠାରୁ ଦୁଇଟି ପେଟ୍ରୋଲ ବୋମା ଜବତ ହୋଇଛି। ଅନ୍ୟପଟେ ରାଙ୍ଗାମାଟିରେ ଏକ କୋର୍ଟ ଓ ତିନୋଟି ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଗୁଡ଼ିକ ପରେ ପୁଲିସ ରାତିସାରା ଅଭିଯାନ ଚଳାଇ ୧୧ ଜଣଙ୍କୁ ଗିରଫ ଓ ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଦଳ ଆୱାମୀ ଲିଗ୍‌ ଏବଂ ଏହାର ଛାତ୍ର ସଂଗଠନ ଛାତ୍ରଲିଗ୍‌ ଉପରୁ ନିଷେଧାଜ୍ଞା ହଟାଇବା ଦାବିରେ ଏହି ଅବରୋଧ ଡାକରା ଦିଆଯାଇଛି।

Tags: