ବିହାର ଓ ତେଲେଙ୍ଗାନାରେ ସିଇସିଙ୍କ ଇସ୍ତଫା ଦାବିରେ ପଦଯାତ୍ରା
ପାଟନାରେ ଆକ୍ରୋଶ ଯାତ୍ରା
ପାଟନା: ପାଟନାରେ ଗୁରୁବାର ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା ହୋଇଛି।। ଇଣ୍ଡି ମେଣ୍ଟ ଦଳଗୁଡ଼ିକ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ରାଜଭବନ ଅଭିମୁଖେ ‘ଆକ୍ରୋଶ ପଦଯାତ୍ରା’ କରୁଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ପୁଲିସ ଅଟକ ରଖିଛି। ପ୍ରଦର୍ଶନ ସମୟରେ ପୂର୍ବତନ ସିପିଆଇ (ଏମ୍ଏଲ୍) ଲିବରେସନ ବିଧାୟକ ଅଜିତ କୁଶୱାହା ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତେଜସ୍ବୀ, ଭିଆଇପିର ମୁକେଶ ସାହଣୀ ଓ ଆରଜେଡି ସାଂସଦ ମିସା ଭାରତୀ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବ ନେଉଥିବାବେଳେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ଉପୁଜି ଥିଲା। ପୁଲିସ ପକ୍ଷରୁ ପାଟନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯାଇଥିଲା। ତେଜସ୍ବୀ, ସାହଣୀ ଓ ମିସା ଭାରତୀଙ୍କୁ ପୁଲିସ ଅଟକ ରଖି ପ୍ରତିବାଦ ସ୍ଥଳ ଖାଲି କରିଥିଲା। ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ, ସୁରକ୍ଷାକର୍ମୀ ଏକେ-୪୭ ଧରି ମୁତୟନ ହୋଇଛନ୍ତି। ଏପରି ଅସ୍ତ୍ର ଆତଙ୍କବାଦୀଙ୍କ ବିରୋଧରେ ବ୍ୟବହାର ହୋଇଥାଏ, ଗରତାନ୍ତ୍ରିକ ପ୍ରତିବାଦ ବିରୋଧରେ ନୁହେଁ। କିନ୍ତୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ପଛକୁ ହଟିବୁ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେଲେଙ୍ଗାନାରେ ମଧ୍ୟ ସିଇସିଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ହୋଇଛି। ସିଇସିଙ୍କ ଇସ୍ତଫା ଦାବି କରି ତେଲେଙ୍ଗାନା କଂଗ୍ରେସ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରୁ ସୋମାଜିଗୁଡ଼ା ସ୍ଥିତ ରାଜଭବନ ପର୍ଯ୍ୟନ୍ତ ‘ଚଲୋ ଲୋକ ଭବନ’ ପଦଯାତ୍ରା ଆୟୋଜନ କରିଛି।




