୧୦ ସର୍କୁଲାର ରୋଡ ସରକାରୀ ବାସଭବନ ଛାଡ଼ିବେ ରାବଡ଼ୀ ଦେବୀ

୧୦ ସର୍କୁଲାର ରୋଡ ସରକାରୀ ବାସଭବନ ଛାଡ଼ିବେ ରାବଡ଼ୀ ଦେବୀ
Samaya Live Desk Picture
Published On

ପାଟନା: ଦୀର୍ଘ ଦୁଇ ଦଶନ୍ଧି ପରେ ପାଟନାର ୧୦ ସର୍କୁଲାର ରୋଡରେ ଥିବା ସରକାରୀ ବାସଭବନ ଛାଡ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିହାର ବିଧାନ ପରିଷଦର ବିରୋଧୀ ଦଳ ନେତା ରାବଡ଼ୀ ଦେବୀ। ବିହାରରେ ନୂଆ ସରକାର ଗଠନ ‌ହେବାପରେ ଏହି ପଦକ୍ଷେପକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି। ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଖରେ ଏହି ବାସଭବନ ପାଖାପାଖି ୨୦ ବର୍ଷ ହେଲା ରହିଆସିଥିଲା। ନୂଆ ସରକାର ଗଠନ ହେବା ପରେ ରାଜ୍ୟ କୋଠାବାଡ଼ି ନିର୍ମାଣ ବିଭାଗ ରାବଡ଼ୀ ଦେବୀଙ୍କ ପାଇଁ ଏକ ନୂଆ ସରକାରୀ ବାସଭବନ ଆଲଟ କରିଛନ୍ତି। ତାଙ୍କୁ ହାର୍ଡ଼ିଂ ରୋଡ଼ରେ ୩୯ ନଂ ବାସଭବନ ଦିଆଯାଇଛି। ସରକାରୀ ଅଧିକାରୀଙ୍କ ମତରେ ରାବଡ଼ୀ ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦର ବିରୋଧୀ ଦଳ ନେତା ଅଛନ୍ତି। ତାଙ୍କୁ ସେହି ବ୍ୟବସ୍ଥା ଅନୁଯାୟୀ ସରକାରୀ ବାସଭବନ ପ୍ରଦାନ କରାଯାଇଛି। ୧୦ ସର୍କୁଲାର ରୋଡରେ ଥିବା ସରକାରୀ ବାସଭବନ ରାବଡୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦାନ କରାଯାଇଥିଲା।  ଏହି ବାସଭବନରେ ଗତ ୨୦ ବର୍ଷ ହେଲା ଲାଲୁ ପ୍ରସାଦ-ରାବଡ଼ୀ ଦେବୀ ଦଳୀୟ ନିଷ୍ପତ୍ତି ନେବା ସଂକ୍ରାନ୍ତ ବୈଠକ ସହିତ ନେତାମାନଙ୍କୁ ଭେଟୁଥିଲେ ଏବଂ ଗଣମାଧ୍ୟମ ସହିତ ଆଲୋଚନା କରୁଥିଲେ।