ବିହାରରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଛାତରୁ ଠେଲିଦେଲେ

ଦୁଷ୍କର୍ମ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଉଥିବା ଅଭିଯୋଗ: ଘଟଣାରେ ଜଣେ ଗିରଫ

ବିହାରରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଛାତରୁ ଠେଲିଦେଲେ
Samaya Live Desk Picture
Published On
ପାଟନା : ବିହାରରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ଗୁରୁତର ପ୍ରଶ୍ନ। ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳାଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ପୂର୍ବରୁ ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ମହିଳାଙ୍କୁ ତାଙ୍କ ଘରର ଛାତ ଉପରୁ ତଳକୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଘଟଣାଟି ବିହାରର ବେଗୁସରାୟ ଜିଲ୍ଲାର। ପୁଲିସ ସୂଚନା ଅନୁଯାୟୀ, ପ୍ରାୟ ୩୦ ବର୍ଷୀୟ ମହିଳା ଜଣକ ଗତ ଜୁନ୍‌ ୧୧ ତାରିଖରେ ୫ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ଚାଲିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗଣଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବା ପାଇଁ ମହିଳା ଓ ତାଙ୍କ ପରିବାରକୁ ବାରମ୍ବାର ଧମକ ଦିଆଯାଉଥିଲା। ଏପରିକି ମାମଲାରେ ଆପୋସ ସମାଧାନ କରିବାକୁ ଚାପ ପକାଯାଉଥିବା ସେମାନେ କହିଛନ୍ତି। ସୋମବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କ ଘରେ ପଶି ତାଙ୍କୁ ଛାତ ଉପରକୁ ନେଇଯିବା ପରେ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୨ରୁ ୧୫ ଫୁଟ ଉଚ୍ଚରୁ ତଳେ ପଡ଼ିବା ଯୋଗୁଁ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବେଗୁସରାୟ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ବୟାନ ଆଧାରରେ ଭୋଙ୍ଗଲ କୁମାର ଓରଫ ଭୋଙ୍ଗଲ ମାହତୋ ନାମକ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌) ଅନୁଯାୟୀ ନୂଆ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୂର୍ବ ଗଣଦୁଷ୍କର୍ମ ମାମଲାରେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବା ପରିବାର ଲୋକେ ଦାବି କରିଛନ୍ତି। ଘଟଣାକୁ ନେଇ ବିହାରରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
Tags: