ଦିଲ୍ଲୀ ବିମାନବନ୍ଦରରେ ଭଗୱନ୍ତ ମାନ୍ଙ୍କୁ ୫୦ ହଜାର ଟଙ୍କା ଜରିମାନା
ଘୋଷଣା ହୋଇନଥିବା ସାମଗ୍ରୀ ନେଇଥିବା ଅଭିଯୋଗ
ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଫ୍ରାନ୍ସରୁ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ୫୦ ହଜାର ଟଙ୍କା ଜରିମାନା କରାଯାଇଥିବା ନେଇ ସୂଚନା ମିଳିଛି। ଘୋଷଣା କରାଯାଇନଥିବା ବିଳାସପୂର୍ଣ୍ଣ ସାମଗ୍ରୀ ନେଇ ଏହି ଜରିମାନା ଲଗାଯାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ମଙ୍ଗଳବାର ରାତିରେ ଫ୍ରାନ୍ସରୁ ଫେରିବା ପରେ ଭଗୱନ୍ତ ମାନ୍ ନିଜ କର୍ମଚାରୀଙ୍କ ସହ ଦିଲ୍ଲୀ ବିମାନବନ୍ଦରର ଗ୍ରୀନ୍ ଚ୍ୟାନେଲ୍ ଦେଇ ବାହାରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଅଟକାଇ ତାଙ୍କ ସାମଗ୍ରୀ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କିଛି ବିଳାସପୂର୍ଣ୍ଣ ସାମଗ୍ରୀର ଘୋଷଣା କରାଯାଇନଥିବା ଅଭିଯୋଗ ହୋଇଥିଲା। ଏହାପରେ ସେହି ସାମଗ୍ରୀ ଉପରେ ସୀମା ଶୁଳ୍କ ଲଗାଯିବା ସହ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡ଼ିଛି। ଆପ୍ର ପଞ୍ଜାବ ମିଡିଆ ଇନ୍ଚାର୍ଜ ବଲତେଜ ପନ୍ନୁ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିଲା ଏବଂ ରାତିରେ ଦିଲ୍ଲୀ ବିମାନବନ୍ଦରରେ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା। ପନ୍ନୁ କହିଛନ୍ତି, ଏହାପରେ ୫୦ ହଜାର ଟଙ୍କାର ଚାଲାଣ କଟାଗଲା। ଅଧିକାରୀମାନେ ନିଜେ ସ୍ୱୀକାର କରିଥିଲେ ଯେ ସେମାନେ ଚାପରେ ଥିଲେ। ଏଥିରୁ ପ୍ରମାଣିତ ହେଉଛି ଯେ ଉପରୁ ଆଦେଶ ଆସିବା ପରେ ଏହି ସମଗ୍ର ଘଟଣା ଘଟାଯାଇଥିଲା। ସେ ଆହୁରି କହିଛନ୍ତି ଯେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ପରେ ଭଗୱନ୍ତ ମାନ୍ ପ୍ୟାରିସ୍ ଯାଇଥିଲେ। ତାଙ୍କ ମତରେ, କେନ୍ଦ୍ର ସରକାର ପୁଣିଥରେ ନିଜର ‘ସଂକୀର୍ଣ୍ଣ ମାନସିକତା’ ପ୍ରଦର୍ଶନ କରିଛନ୍ତି। ଗୱନ୍ତ ମାନ୍ଙ୍କ ଫ୍ରାନ୍ସ ଗସ୍ତର ଉଦ୍ଦେଶ୍ୟ ଥିଲା ପଞ୍ଜାବର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ପ୍ରଚାର କରିବା ଏବଂ ବାଣିଜ୍ୟିକ ସୁଯୋଗ ଖୋଜିବା। ଅକ୍ଟୋବର ୧୮ ତାରିଖରେ ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀରେ ସେ ମାର୍କଫେଡ୍ର ଷ୍ଟଲ୍ ଉଦ୍ଘାଟନ କରିଥିଲେ। ଏଥିସହ ‘ସୋହନା’ ବ୍ରାଣ୍ଡ ଅଧୀନରେ ଦୁଇଟି ନୂଆ ଉତ୍ପାଦ ଟିଣ ଡବାରେ ସଂରକ୍ଷିତ ଧଳା ଛୋଲା ଓ ରାଜମା ବଜାରକୁ ଆଣିଥିଲେ। ତାଙ୍କ କହିବା ଅନୁସାରେ, ପଞ୍ଜାବର ଉଚ୍ଚମାନର ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଘଟଣାକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଆପ୍ ନେତା ସୌରଭ ଭରଦ୍ୱାଜ ଏହାକୁ କେନ୍ଦ୍ର ସରକାରଙ୍କ ‘ଅହଂକାର’ ବୋଲି କହିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି ଯେ ପଞ୍ଜାବର ଉତ୍ପାଦକୁ ବିଦେଶରେ ପ୍ରଚାର କରିବା ପାଇଁ ମାନ୍ ପ୍ୟାରିସ୍ ଯାଇଥିଲେ। କେନ୍ଦ୍ର ସରକାରଙ୍କଠାରୁ ଏନ୍ଓସି ନମିଳିବା ପ୍ରସଙ୍ଗ ଉଠାଇବା ପରେ ଏହି ଗସ୍ତ ହୋଇଥିବା ସେ କହିଛନ୍ତି। ଅନ୍ୟପଟେ, ଶିରୋମଣି ଅକାଳୀ ଦଳର ସାଧାରଣ ସମ୍ପାଦକ ବିକ୍ରମ ସିଂହ ମଜିଠିଆ ଦାବି କରିଛନ୍ତି ଯେ ଭଗୱନ୍ତ ମାନ୍ ଓ ତାଙ୍କ ପତ୍ନୀ ଗୁରପ୍ରୀତ କୌରଙ୍କୁ ଆଇନ ଉଲ୍ଲଂଘନ ଅଭିଯୋଗରେ ଅଟକ ରଖାଯାଇଥିଲା।
Tags:




