ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଫିରୋଜାବାଦ ଜିଲ୍ଲା ମତ୍ସୈନା ଥାନା ଅଞ୍ଚଳରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ହୋଇଯାଇଛି। ଏହି ଦୁର୍ଘଟଣାରେ ବସରେ ନିଆଁ ଲାଗିଯିବା କାରଣରୁ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କିନ୍ତୁ ସୌଭାଗ୍ୟବସତଃ ସ୍ଥାନୀୟ ପ୍ରଶାସନର ଉପସ୍ଥିତ ବୁଦ୍ଧି ଯାତ୍ରୀମାନଙ୍କୁ ବଞ୍ଚାଇ ଦେଇଛି। କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ୪୫ରେ ଦିଲ୍ଲୀରୁ ଗୁରୁଗ୍ରାମ ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଡବଲ-ଡେକର ବସ୍ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା ଏବଂ ଦେଖୁଦେଖୁ ତାହା ପାଉଁଶ ହୋଇଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ବସର ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପ୍ରାଣପଣେ ଚେଷ୍ଟା କରି ଯାତ୍ରୀମାନଙ୍କୁ କାଚ ଭାଙ୍ଗି ତୁରନ୍ତ ବାହାରକୁ ଆଣିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ମେଡିକାଲ କଲେଜ, ସୈଫାଇ ଏବଂ ଟ୍ରମା ସେଣ୍ଟରକୁ ରେଫର କରାଯାଇଛି। ବାକି ୫ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି।



