କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ହୃଦ୍ଘାତ, ସ୍ବାସ୍ଥ୍ୟାବସ୍ଥା ଗୁରୁତର
ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଶନିବାର ସନ୍ଧ୍ୟାରେ ହୃଦ୍ଘାତର ଶିକାର ହୋଇଛନ୍ତି। ହୃଦ୍ଘାତ ହେବାପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଏହି ଗାୟିକାଙ୍କୁ ହସ୍ପିଟାଲ୍ର ଇମର୍ଜେନ୍ସି ମେଡିକାଲ ସେବା ବିଭାଗରେ ଚିକିତ୍ସା କରାଯାଉଛି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ଯେ, ଆଶା ଶନିବାର ସନ୍ଧ୍ୟାରେ ହୃଦ୍ଘାତ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ଏବଂ ସେ ଜୀବନ ରକ୍ଷାକାରୀ ବ୍ୟାବସ୍ଥା ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି।ଏହି ଖବର ପାଇବା ପରେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ସେଲାର ହସ୍ପିଟାଲ୍ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଆଶାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ହସ୍ପିଟାଲ୍ରେ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ବଲିଉଡ୍ କଳାକାରଙ୍କ ଠାରୁ ଆରମ୍ଭ କରି କୋଟି କୋଟି ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।



