ଅମରିନ୍ଦରଙ୍କ ସହ ରାହୁଲଙ୍କ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କକୁ ନେଇ ଚର୍ଚ୍ଚା: ‘ଏହା ବ୍ୟକ୍ତିଗତ’, କହିଲା ବିଜେପି
ଚଣ୍ଡିଗଡ଼: ପଞ୍ଜାବ ରାଜନୀତିରେ ପୁଣି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଅମରିନ୍ଦର, ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବା ଏବଂ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ସୌହାର୍ଦ୍ଦପୂର୍ଣ୍ଣ କଥାବାର୍ତ୍ତା ରାଜନୈତିକ ମହଲରେ ନୂଆ ଆଲୋଚନାକୁ ଜନ୍ମ ଦେଇଛି। ତେବେ ଏହାକୁ ରାଜନୈତିକ ଘଟଣାକ୍ରମ ଭାବେ ନ ଦେଖି ବ୍ୟକ୍ତିଗତ ସମ୍ପର୍କର ପରିଣାମ ବୋଲି କହିଛି ବିଜେପି। ସୋମବାର ନୂଆଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ସ୍ମୃତିଗ୍ରନ୍ଥ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ର ଉନ୍ମୋଚନ ଉତ୍ସବରେ ଅମରିନ୍ଦରଙ୍କ ଉପସ୍ଥିତି ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ଅବସରରେ ରାହୁଲ ଗାନ୍ଧୀ ନିଜ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଅମରିନ୍ଦରଙ୍କ ପୁରୁଣା ସମ୍ପର୍କକୁ ମନେ ପକାଇଥିଲେ। ରାଜୀବ ଓ ସୋନିଆଙ୍କ ମଧ୍ୟରେ ଥରେ ହୋଇଥିବା ଏକମାତ୍ର ଝଗଡ଼ାର ଘଟଣା ମଧ୍ୟ ସେ ଶୁଣାଇଥିଲେ। ସେତେବେଳେ ରାଜୀବ ଫୋନ୍ରେ ଅମରିନ୍ଦରଙ୍କ ସହ କଥା ହେଉଥିବା ବେଳେ ସୋନିଆ ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ଏହାକୁ ନେଇ ରାଜୀବ ବିରକ୍ତ ହୋଇଥିବା କଥା ରାହୁଲ କହିଥିଲେ। ଅମରିନ୍ଦରଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ଅର୍ଥ ବାହାର କରାଯାଉଥିବା ବେଳେ ବିଜେପି ନେତା ରାଣା ଗୁରମିତ୍ ସିଂହ ସୋଢ଼ୀ ଏହାକୁ ଖଣ୍ଡନ କରିଛନ୍ତି। ରାଜୀବ ଗାନ୍ଧୀ ଓ ତାଙ୍କ ପରିବାର ସହ ଅମରିନ୍ଦରଙ୍କ ପରିବାରର ଦୀର୍ଘଦିନର ଉଷ୍ମ ବ୍ୟକ୍ତିଗତ ସମ୍ପର୍କ ରହିଥିବାରୁ ସେ ଉତ୍ସବରେ ଯୋଗଦେଇଥିବା ସୋଢ଼ୀ କହିଛନ୍ତି। ନିଜେ ଅମରିନ୍ଦର ମଧ୍ୟ କଂଗ୍ରେସକୁ ଫେରିବା ସମ୍ଭାବନାକୁ ‘ନା’ କହିଛନ୍ତି। ଏହା ଏକ ସାମାଜିକ କାର୍ଯ୍ୟକ୍ରମ, ଏଥିରେ ରାଜନୀତି କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସୋନିଆ ତାଙ୍କର ତିନୋଟି ପୁସ୍ତକ ଉନ୍ମୋଚନ ଉତ୍ସବକୁ ମଧ୍ୟ ଆସିଥିବା ସେ ଉଲ୍ଲେଖ କରିଛନ୍ତି। ଅମରିନ୍ଦରଙ୍କ କଂଗ୍ରେସକୁ ଫେରିବା ନେଇ ଗତ ଜୁନ୍ ୪ରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା କଂଗ୍ରେସ ନେତାଙ୍କ ସହ ତାଙ୍କର ଯୋଗାଯୋଗ ଥିବା କହିଥିଲେ। ଅଗଷ୍ଟ ୭ରେ ରାହୁଲ ତାଙ୍କୁ ବିଜେପିର ପସନ୍ଦର ରାଜନେତା ବୋଲି କହିବା ସହ ‘ଅଙ୍କଲ ଅମରିନ୍ଦର’ ବୋଲି ସମ୍ବୋଧନ କରିଥିଲେ। ଅକ୍ଟୋବର ୧୫ରେ କଂଗ୍ରେସର ପଞ୍ଜାବ ପ୍ରଭାରୀ ସଚିନ ପାଇଲଟ୍ ମଧ୍ୟ ରାଜନୀତିରେ ସବୁକିଛି ସମ୍ଭବ ବୋଲି କହିଥିଲେ। ତେବେ ଅମରିନ୍ଦରଙ୍କ ସହ ଏନେଇ ବ୍ୟକ୍ତିଗତ ଆଲୋଚନା କରିନଥିବା ସେ ସ୍ପଷ୍ଟ କରିଥିଲେ।
୨୦୨୧ରେ କଂଗ୍ରେସ ନେତୃତ୍ୱ ସହ ମତଭେଦ ପରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ୨୦୨୨ ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢ଼ିବା ପରେ ନିଜ ଦଳକୁ ବିଜେପିରେ ମିଶାଇଥିଲେ। ୨୦୧୭ରେ ତାଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବରେ ବିପୁଳ ବିଜୟ ହାସଲ କରିଥିଲା। ଆସନ୍ତା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ରାଜନୈତିକ ଗୁରୁତ୍ୱ ପୁଣି ବଢ଼ିଛି। ଅମରିନ୍ଦର ବିଜେପି-ଶିରୋମଣି ଅକାଳୀ ଦଳ ମେଣ୍ଟ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ତଥାପି କଂଗ୍ରେସକୁ ଫେରିବା ନେଇ କୌଣସି ଆଲୋଚନା କିମ୍ବା ସ୍ପଷ୍ଟ ସଙ୍କେତ ମିଳିନାହିଁ।
Tags:




